ଭାଜପାରେ ପୂର୍ବତନ ଏମ୍‌ପି ଅର୍ଚ୍ଚନା ନାୟକ

ଭୁବନେଶ୍ୱର, ୨୩।୩(ସୁନିତ୍‌ ମିଶ୍ର): କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ଅର୍ଚ୍ଚନା ନାୟକ ଶୁକ୍ରବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମଧ୍ୟ ଡେରାବିଶ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ସରୋଜକାନ୍ତ ସାହୁ ଏବଂ ପ୍ରଭାତୀ ମଲିକ, ପ୍ରିୟବ୍ରତ ମିଶ୍ର ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେଇଛନ୍ତି। ଭାଜପା ରାଜ୍ୟ ନେତୃବୃନ୍ଦ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଏହି ଅବସରରେ ସ୍ବାଗତ କରିଛନ୍ତି। ଏହି ଅବସରରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାଜପା ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଚାଲିଛି। ଓଡ଼ିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡ଼ିତ ହେବା ଦରକାର। ଆସନ୍ତା ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ଭାଜପା ହିଁ ଏକମାତ୍ର ବିକଳ୍ପ। ଏହି ମିଶ୍ରଣ ପର୍ବ ଦଳର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବ। ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ବର୍ଗର ଲୋକେ ଭାଜପାକୁ ଆପଣାଉଛନ୍ତି। ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରି ଭାଜପାର ସଦସ୍ୟ ହୁଅନ୍ତୁ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।