୧୦ ବର୍ଷ ପରେ ଘର ବାହୁଡ଼ା: ବିଜେଡିରେ ପୁଣି ଯୋଗଦେଲେ ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ଭାଜପା ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ଏମ୍‌ପି ମମତା ମହାନ୍ତ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ସେଠୀ ୨୦୦୯ରେ ବିଜେଡିରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ସେ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢ଼ିବା ଆଶା ମଉଳିଯାଇଥିଲା। ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ସେ ବିଜେଡି ଛାଡ଼ି ଭାଜପାରେ ମିଶିଥିଲେ। ପରନ୍ତୁ ସେଠାରେ ତାଙ୍କୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଦିନକୁ ଦିନ ଭାଜପା ତାଙ୍କୁ ଅଣଦେଖା କରିଚାଲିଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା। ପୂର୍ବ ନିଷ୍ପତ୍ତି ଏକ ଭୁଲ ଥିବା ଜାଣି ନିଷ୍ପତ୍ତି ପରିବର୍ତ୍ତନ ପୂର୍ବକ ଭାଜପା ଛାଡ଼ିଛନ୍ତି ବୋଲି ତାଙ୍କର ସମର୍ଥକ କହିଥିଲେ।