ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ

ବାଲେଶ୍ୱର ଅଫିସ,୧୬ା୯:ବାଲେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗୋପନାରାୟଣ ଦାସ(୭୪)ଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ପରିବାର ଲୋକେ କଟକ ବଡ଼ ମେଡିକାଲ ନେଉଥିବାବେଳେ ଅଧା ବାଟରେ ମୃତ୍ୟୁ ହୋଇଯାଇଥିଲା। ମରଶରୀର ବାଲେଶ୍ୱର ଗୋପାଳଗାଁସ୍ଥିତ ବାସଭବନରେ ଗୁରୁବାର ପହଞ୍ଚତ୍ବା ପରେ କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସ୍ବର୍ଗତ ଦାସ ୧୯୮୫ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଛାତ୍ର ଜୀବନରୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଅଂଶଗ୍ରହଣ କରିଥିଲେ। ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରି ବାଲେଶ୍ୱରରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ୧୯୭୩ରେ କାଉନସିଲର ଭାବେ ନିର୍ବାଚନ ଜିଣି ରାଜନୈତିକ ଜୀବନ ଆରମ୍ବ ହୋଇଥିଲେ। ୧୯୮୦ରୁ ୧୯୮୫ ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ଏବଂ ପରବର୍ତ୍ତୀ ସମୟରେ ବାଲେଶ୍ୱର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ବିଧାୟକ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିଭଳି ଜିଲା କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ୱ ନିର୍ବାହ ସହ କଂଗ୍ରେସ ସରକାର ସମୟରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଚେୟାରମ୍ୟାନ ଭାବେ ୧୯୯୬ରୁ ୨୦୦୦ମସିହା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ଏଥିସହ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗଠନ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିଲେ।