ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ପରଲୋକ

ସୁନ୍ଦରଗଡ଼, ୨୩ା୭(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରଘୁନାଥପାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ଓକିଲ ନେଲସନ ସୋରେଙ୍ଗଙ୍କ ବୁଧବାର ଅପରାହ୍ନରେ ତାଙ୍କ ସୁନ୍ଦରଗଡ଼ ମହେଶଡ଼ିହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ୧୯୪୬ରେ ଜନ୍ମଗ୍ରହଣ କରିଥିବା ସୋରେଙ୍ଗ ୧୯୭୪ରେ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଲିସ ବିଭାଗରେ ୬ ବର୍ଷ ଧରି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିଥିଲେ। ଏହାସହ ରାଜ୍ୟପାଳଙ୍କ ସୁରକ୍ଷା ଅଧିକାରୀ ଭାବେ ମଧ୍ୟ କିଛି ଦିନ ନିୟୋଜିତ ଥିଲେ। ପରେ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ। ୧୯୮୦ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ରଘୁନାଥପାଲି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ବରିଷ୍ଠ ଓକିଲ ଭାବେ ମଧ୍ୟ ସୁନ୍ଦରଗଡ଼ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଜିଲା ଓକିଲ ସଂଘର ବହୁ ଆଇନଜୀବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।