Categories: ଖେଳ

‘ଏବେଠୁ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜ,ନଚେତ…’ ଭାରତୀୟ ଟିମକୁ ଗମ୍ଭୀରଙ୍କ ଚେତାବନୀ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌। ଏହାକୁ ନେଇ ଭାରତୀୟ ଟିମ୍‌କୁ ଚେତାଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଦଳକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜିବାର ବହୁତ ଆବଶ୍ୟକତା ରହିଛି। ଯଦି ସେ ପୁଣିଥରେ ଆହତ ହୁଅନ୍ତି ତେବେ ଭାରତୀୟ ଟିମ୍‌ ଅଡୁଆରେ ଫସିଯିବ ବୋଲି ଗମ୍ଭୀର ଷ୍ଟାର ସ୍ପୋଟ୍ସର ଶୋ’ ‘ରୋଡ୍‌ ଟୁ ଓ୍ବାଲ୍ଡ କପ୍‌ ଗ୍ଲୋରୀ’ରେ କହିଛନ୍ତି।

ସେହିଭଳି ପୂର୍ବତନ ଅଲରାଉଣ୍ଡର ଇରଫାନ୍‌ ପଠାନ କହିଛନ୍ତି, ହାର୍ଦ୍ଦିକଙ୍କ ବ୍ୟାକ୍‌ଅପ୍‌ ସ୍ପିନ୍‌ ବୋଲିଂ ବି ହୋଇପାରେ। ଏବେ ଦଳ ଲାଗି ଦୁଇଜଣ ସ୍ପିନ ଅଲରାଉଣ୍ଡର ଯଥେଷ୍ଟ। ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା ଏବଂ ଦୀପକ ହୁଦାଙ୍କ ଭଳି ଖେଳାଳିକୁ ବିଚାରକୁ ନିଆଯାଇପାରେ ବୋଲି ସେ କହିଛନ୍ତି।

କହିରଖୁଛୁ, ପିଠିରେ ଆଘାତ ଲାଗିବା କାରଣରୁ ଦୀର୍ଘଦିନ ଧରି ଭାରତୀୟ ଟିମ୍‌ରୁ ବାଦ ପଡ଼ିଥିଲେ ହାର୍ଦ୍ଦିକ। ଏବେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଲାଗି ଅଧିନାୟକ ଦାୟିତ୍ୱ ମିଳିଛି। ସେହିଭଳି ଦିନିକିଆ ସିରିଜରେ ମଧ୍ୟ ସେ ଉପଅଧିନାୟକ ଭୂମିକା ତୁଲାଇବେ। ୨୯ ବର୍ଷୀୟ ପାଣ୍ଡ୍ୟାଙ୍କୁ ଧିରେଧିରେ ଭାରତୀୟ ଟିମ୍‌ର ନେତୃତ୍ୱ ଦିଆଯାଉଥିବାରୁ ସେ ଭବିଷ୍ୟତରେ ଅଧିନାୟକ ହେବେ ବୋଲି ଆଶା କରାଯାଉଛି। ହେଲେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ସେ ପୁଣିଥରେ ଆହତ ହୋଇ ମଇଦାନ ବାହାରକୁ ଚାଲି ଆସିଥିଲେ। ଏହି ଆଘାତକୁ ନେଇ ଏବେ ଗମ୍ଭୀର ଭାରତୀୟ ଟିମ୍‌କୁ ଚେତାଇଛନ୍ତି।

Share