କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ କାଲରାଙ୍କୁ ଶ୍ରୀଲଙ୍କାରେ ଗିରଫ କରାଯାଇଛି। ଲଙ୍କା ପ୍ରିମିୟର ଲିଗ (LPL) ଆରମ୍ଭ ହେବା ପୂର୍ବରୁ ଜଣେ କ୍ରିକେଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଶ୍ରୀଲଙ୍କା ପୋଲିସର ସ୍ପୋର୍ଟସ ଇନଭେଷ୍ଟିଗେସନ ୟୁନିଟ ତାଙ୍କୁ କଲମ୍ବୋର ଏକ ହୋଟେଲରୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ମନଜୋତ କାଲରା ଲଙ୍କା ପ୍ରିମିୟର ଲିଗ୍ର ଫ୍ରାଞ୍ଚାଇଜ ’ଜାଫନା କିଙ୍ଗସ’ର ସହ-ମାଲିକ ଅଟନ୍ତି। ଶ୍ରୀଲଙ୍କା ପୋଲିସ ଇନ୍ସପେକ୍ଟର ସୁପୁନ ବିଦାନଗେ ଜଣାଇଛନ୍ତି ଯେ, କାଲରା ଜଣେ ଖେଳାଳିଙ୍କୁ ପ୍ରାୟ ୯୫ ଲକ୍ଷ ଶ୍ରୀଲଙ୍କା ଟଙ୍କା (ପ୍ରାୟ ୨୭.୭ ଲକ୍ଷ ଭାରତୀୟ ଟଙ୍କା) ଲାଞ୍ଚ ଦେବାକୁ ଚେଷ୍ଟା କରୁଥିବା ବେଳେ ଶୁକ୍ରବାର (୧୭ ଜୁଲାଇ) ତାଙ୍କୁ ଧରାଯାଇଛି।
ପୋଲିସ କହିବା ଅନୁସାରେ, ଯେଉଁ ଖେଳାଳିଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଥିଲା, ସେ ପ୍ରାୟ ୧୦ ଦିନ ପୂର୍ବରୁ ଏ ବିଷୟରେ ଅଭିଯୋଗ କରିଥିଲେ। ଜାଫନା କିଙ୍ଗସର ମାଲିକ ପ୍ରଥମେ ସେହି ଖେଳାଳିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ପୋଲିସ ଯୋଜନାବଦ୍ଧ ଭାବେ କାଲରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଅନ୍ୟ ଦୁଇଜଣ ଖେଳାଳିଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷା ଦୃଷ୍ଟିରୁ କୌଣସି ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନାହିଁ। କାଲରାଙ୍କୁ ଶୀଘ୍ର ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯିବ।
ଦିଲ୍ଲୀର କ୍ରିକେଟର ମନଜୋତ ୨୦୧୮ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଏକ ପ୍ରମୁଖ ସଦସ୍ୟ ଥିଲେ। ସେହି ଦଳର ଅଧିନାୟକ ପୃଥ୍ବୀ ଶ’ ଥିବା ବେଳେ ବର୍ତ୍ତମାନର ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ମଧ୍ୟ ସେହି ଦଳରେ ଥିଲେ। ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ କାଲରା ଏକ ଦମଦାର ଶତକ ମାରି ଭାରତକୁ ଚାମ୍ପିଅନ କରାଇଥିଲେ।
ବିଶ୍ୱକପ ଜିତିବାର ମାତ୍ର ବର୍ଷେ ପରେ କାଲରା ’ବୟସ ଜାଲିଆତି’ ମାମଲାରେ ଫସିଥିଲେ। ଏହାପରେ ୨୦୨୦ରେ ଦିଲ୍ଲୀ କ୍ରିକେଟ ଆସୋସିଏଶନ ତାଙ୍କ ଉପରେ କିଛି ବର୍ଷ ପାଇଁ ବ୍ୟାନ ଲଗାଇଥିଲା। ପରେ ବ୍ୟାନ ହଟିଥିଲେ ମଧ୍ୟ ସେ ଆଉ ବ୍ୟାବସାୟିକ କ୍ରିକେଟକୁ ଫେରିପାରି ନ ଥିଲେ। ନିକଟରେ ମେ ୨୦୨୬ରେ ସେ ଜାଫନା କିଙ୍ଗସ ଦଳର କିଛି ଅଂଶଧନ କିଣି ଏହାର କୋ-ଓନର ବନିଥିଲେ, କିନ୍ତୁ ଏବେ ଏହି ବଡ଼ ବିବାଦରେ ଫସିଯାଇଛନ୍ତି।
Dharitri – Odisha’s No.1 Odia Daily