ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭୩ ବର୍ଷୀୟ ଚୌହାନ ଶୁକ୍ରବାର ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି। ଚେତନ ଏଥିପୂର୍ବରୁ ଜୁଲାଇ ୧୯ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ସେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏସ୍‌ଜିପିଜିଆଇ)ରେ ରହି ଚିକିତ୍ସିତ ହୋଇ ଆସୁଥିଲେ। କିନ୍ତୁ କରୋନାକୁ ପରାସ୍ତ କରିବା ପୂର୍ବରୁ ଶୁକ୍ରବାର ରାତିରେ ତାଙ୍କର କିଡ୍‌ନୀ ଓ ବ୍ଲଡପ୍ରେସର ସମସ୍ୟା ଦେଖାଦେଇଥିଲା। ଫଳରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ଚୌହାନଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହିତ ଭେଣ୍ଟିଲେଟରେ ରଖାଯାଇଛି। ଦୁଇଥର ବିଜେପି ସାଂସଦ ରହି ଆସିଥିବା ଚେତନ ଗତ ଉତ୍ତର ପ୍ରଦେଶ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ଯୋଗୀ ଆଦିତ୍ୟନାଥ ସରକାରରେ ସାମରିକ କଲ୍ୟାଣ ମନ୍ତ୍ରଣାଳୟ, ହୋମଗାର୍ଡ, ପିଆର୍‌ଡି ଏବଂ ନାଗରିକ ସୁରକ୍ଷା ମନ୍ତ୍ରଣାଳୟ ମନ୍ତ୍ରୀ ରହିଛନ୍ତି।
ଓପନିଂ ବ୍ୟାଟ୍ସମ୍ୟାନ ଚେତନ ଚୌହାନ ୧୯୬୯ରୁ ୧୯୭୮ ପର୍ଯ୍ୟନ୍ତ ଭାରତ ପକ୍ଷରୁ ୪୦ ଟେଷ୍ଟ ଓ ୭ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ଲିଟିଲ୍‌ ମାଷ୍ଟର ସୁନିଲ ଗାଭାସ୍କରଙ୍କ ସବୁଠାରୁ ସଫଳ ଓପନିଂ ପାର୍ଟନରଶିପ୍‌ ଭାବେ ପରିଗଣିତ ହେଉଥିବା ଚୌହାନ ଟେଷ୍ଟରେ ୨,୦୮୪ ରନ୍‌ ଓ ଦିନିକିଆରେ ୧୫୩ ରନ କରିଥିଲେ। ଏଥିସହ ସେ ମହାରାଷ୍ଟ୍ର ଓ ଦିଲ୍ଲୀ ପକ୍ଷରୁ ମଧ୍ୟ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ୧୭୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ଚୌହାନ ୧୧ ହଜାର ୧୪୩ ରନ କରିଛନ୍ତି। ଏହା ମଧ୍ୟରେ ୨୧ ଶତକ ଓ ୫୯ ଅର୍ଦ୍ଧଶତକ ସାମିଲ ରହିଛି।

Share