ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। କ୍ରିକେଟ୍ ମଇଦାନକୁ ବିଦାୟ ଦେବା ପରେ ଏବେ ସେ କମେଣ୍ଟ୍ରି ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିବେ । ଆଗାମୀ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରୁ ସେ କମେଣ୍ଟ୍ରିରେ ଡେବ୍ୟୁ କରିବେ।
ଆଗାମୀ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାର ଗଲ୍ରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ରାହାଣେଙ୍କୁ ‘ସୋନି ସ୍ପୋର୍ଟ୍ସ ନେଟୱାର୍କ’ର କମେଣ୍ଟ୍ରି ପ୍ୟାନେଲରେ ସାମିଲ କରାଯାଇଛି। ପ୍ରାୟ ୧୮ ବର୍ଷର ଜାତୀୟ ତଥା ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟର୍ର ଅଭିଜ୍ଞତା ରଖିଥିବା ରାହାଣେ ମ୍ୟାଚ୍ର ରଣନୀତି, ଜଟିଳ ସ୍ଥିତି ଏବଂ ଖେଳର କୌଶଳ ସମ୍ପର୍କରେ ଦର୍ଶକଙ୍କୁ ବେଶ୍ ପାଣ୍ଡିତ୍ୟପୂର୍ଣ୍ଣ ବିଶ୍ଳେଷଣ ପ୍ରଦାନ କରିବେ। ଭାରତ ପାଇଁ ୮୫ଟି ଟେଷ୍ଟ ମ୍ୟାଚ୍ ଖେଳି ୩୮.୪୬ ହାରରେ ୫,୦୭୭ ରନ୍ ସଂଗ୍ରହ କରିଥିବା ରାହାଣେଙ୍କ ନାଁରେ ୧୨ଟି ଶତକ ଏବଂ ୨୬ଟି ଅର୍ଦ୍ଧଶତକ ରହିଛି। ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୨୦-୨୧ ମସିହାରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିଥିଲା, ଯାହା ତାଙ୍କର ଉତ୍କୃଷ୍ଟ କ୍ରିକେଟ୍ ବୁଝାମଣାକୁ ପ୍ରମାଣିତ କରେ।
ଏହି ନୂତନ ଯାତ୍ରା ନେଇ ଉତ୍ସାହ ପ୍ରକାଶ କରି ରାହାଣେ କହିଛନ୍ତି ଯେ ଟେଷ୍ଟ କ୍ରିକେଟ୍ ହେଉଛି ଖେଳର ଚରମ ବିନ୍ଦୁ ଏବଂ ଏତେ ବର୍ଷ ଧରି ଏହି ଫର୍ମାଟରେ ଦେଶର ପ୍ରତିନିଧିତ୍ୱ କରିବା ପରେ ବର୍ତ୍ତମାନ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବା ତାଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ଅଟେ। ସେ ନିଜର ଅଭିଜ୍ଞତା ବାଣ୍ଟିବା ସହିତ ମ୍ୟାଚ୍ର ମୋଡ଼ ବଦଳାଉଥିବା ନିଷ୍ପତ୍ତି ଏବଂ ରଣନୀତି ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇବାକୁ ଅତ୍ୟନ୍ତ ଆଗ୍ରହୀ ଅଛନ୍ତି।
କେବଳ କମେଣ୍ଟ୍ରି ନୁହେଁ, ରାହାଣେ ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ଟି-୨୦ କ୍ରିକେଟ୍ ଲିଗ୍ ‘SA20’ରେ ଜଣେ ଖେଳାଳି ଭାବେ ମଧ୍ୟ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆଗକୁ ହେବାକୁ ଥିବା ଏହି ଲିଗ୍ର ଖେଳାଳି ନିଲାମୀରେ ତାଙ୍କ ନାମ ମଧ୍ୟ ସାମିଲ ଥାଇପାରେ ବୋଲି ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି କ୍ରିସ୍ ମରିସ୍ ମଧ୍ୟ ସୂଚନା ଦେଇଛନ୍ତି।