Categories: ଖେଳ

୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନ ଥିବା ବେଳେ ଗତ ଦୁଇ ବର୍ଷ ଧରି ସେ ଗୋଟିଏ ବି ଶତକ ହାସଲ କରିନାହାନ୍ତି। ଏଭଳି ସ୍ଥିତିରେ ଦଳରେ କେବଳ ଖେଳାଳି ଭାବେ ରହିବାକୁ ହେଲେ ତାଙ୍କୁ ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ହେବ। ଏହାକୁ ନେଇ ପୂର୍ବତନ ଭାରତୀୟ ପ୍ରଶଂସକ ରବି ଶାସ୍ତ୍ରୀ କୋହଲିଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି।

ଶାସ୍ତ୍ରୀ-କୋହଲିଙ୍କ ଯୋଡ଼ି ଦୀର୍ଘ ସମୟ ଏକାଠି ରହିଛନ୍ତି। ଏଣୁ କୋହଲିଙ୍କ ଶକ୍ତି ଏବଂ ଦୁର୍ବଳତା ବିଷୟରେ ଭଲଭାବେ ଜାଣନ୍ତି ଶାସ୍ତ୍ରୀ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ସହ ୟୁଟ୍ୟୁବ୍‌ ଚ୍ୟାନେଲରେ କଥାବାର୍ତ୍ତା ସମୟରେ କୋହଲିଙ୍କୁ ପରାମର୍ଶ ଦେଇ ଶାସ୍ତ୍ରୀ କହିଛନ୍ତି, ସେ ଭଲ ଭାବେ ଜାଣନ୍ତି ତାଙ୍କୁ ୩୩ ବର୍ଷ ହେଲାଣି। ଏବେ ତାଙ୍କ ଭିତରେ ୫ ବର୍ଷର କ୍ରିକେଟ ବାକି ଅଛି। ସେ ନିଜକୁ ଶାନ୍ତ ରଖି ବ୍ୟାଟିଂ ଉପରେ ଧ୍ୟାନ ଦିଅନ୍ତୁ। ଗୋଟିଏ ଥରରେ ଗୋଟିଏ ମ୍ୟାଚ୍‌ ବିଷୟରେ ଚିନ୍ତା କରନ୍ତୁ। ଏହାଛଡ଼ା ଖେଳରୁ କିଛି ଦିନ ବିରତି ନେବା ତାଙ୍କ ପାଇଁ ଲାଭଦାୟକ ହେବ। ସେ ଦୁଇରୁ ତିନି ମାସ ବିଶ୍ରାମ ନେବା ପରେ ଫେରିଆସି ଜଣେ ରାଜା ଭାବେ କ୍ରିକେଟ ଖେଳନ୍ତୁ। ମାନସିକ ସ୍ତରରେ ସେ ପ୍ରସ୍ତୁତ ଅଛନ୍ତି। ସେ ତାଙ୍କ କାମ ଏବଂ ଭୂମିକା କ’ଣ ତାହା ଜାଣିଛନ୍ତି। ଏବେ କୋହଲି ଖେଳାଳି ଭାବେ ଅଧିକ ଯୋଗଦାନ ଦେଇ ଦଳକୁ ଜିତିବାରେ ସାହାଯ୍ୟ କରୁଥିବା ଦେଖିବାକୁ ଚାହୁଁଛି ବୋଲି ଶାସ୍ତ୍ରୀ କହିଛନ୍ତି।

Share