ଗୌତମ ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କୋଚ: ଉଠାଇଲେ ବଡ଼ ପ୍ରଶ୍ନ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଦିନିକିଆ ଦଳରେ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ନିୟମିତ ସୁଯୋଗ ନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ସହକାରୀ କୋଚ ରାୟାନ ଟେନ ଡୋଶେଟ। ଯଶସ୍ବୀଙ୍କ ଭଳି ପ୍ରତିଭାଶାଳୀ ଓ ରନ କରିବାକୁ ଭୋକିଲା ବ୍ୟାଟରଙ୍କୁ ଦିନିକିଆ ଦଳରେ ନିୟମିତ ସ୍ଥାନ ନ ମିଳିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

ଯଶସ୍ବୀ ଏପର୍ଯ୍ୟନ୍ତ ୬ଟି ଦିନିକିଆ ମ୍ୟାଚ ଖେଳି ୭୧.୨୫ ହାରରେ ୨୮୫ ରନ କରିଛନ୍ତି। ଏଥିରେ ତାଙ୍କର ଦୁଇଟି ଶତକ ମଧ୍ୟ ରହିଛି। ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ଭାରତର ହ୍ବାଇଟ ବଲ ଦଳରେ ସେ ନିଜ ସ୍ଥାନ ପକ୍କା କରିପାରିନାହାନ୍ତି। ୨୦୨୭ ଦିନିକିଆ ବିଶ୍ୱକପ ପାଖେଇ ଆସୁଥିବା ବେଳେ ଦଳରେ ତାଙ୍କ ନିୟମିତ ସ୍ଥାନକୁ ନେଇ ଅନିଶ୍ଚିତତା ରହିଛି।

ଟେନ ଡୋଶେଟ କହିଛନ୍ତି, ଯଶସ୍ବୀ ରନ କରିବାକୁ ବହୁତ ଆଗ୍ରହୀ। ସେ ରନ କରିଥିଲେ ମଧ୍ୟ ବଡ଼ ଇନିଂସ ଖେଳିପାରି ନ ଥିଲେ ନିଜକୁ ନେଇ ନିରାଶ ହୋଇପଡ଼ନ୍ତି। ରନ କରିବାର ସୁଯୋଗ ହାତଛଡ଼ା କରିଥିବାରୁ ତାଙ୍କୁ ବହୁତ ଦୁଃଖ ହୁଏ। ସେ ଦିନିକିଆ କ୍ରିକେଟ ଖେଳିବାକୁ ମଧ୍ୟ ବେଶ ଆଗ୍ରହୀ। ତଥାପି ଦଳରେ ତାଙ୍କୁ ସ୍ଥାନ ନ ମିଳିବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।

ଯଶସ୍ବୀଙ୍କୁ ଦିନିକିଆ ଦଳରୁ ଦୂରେଇ ରଖିବାକୁ ଟେନ ଡୋଶେଟ ‘ଅଜବ’ ବୋଲି କହିବା ସହ ତାଙ୍କ କଠିନ ପରିଶ୍ରମ ଓ ଖେଳ ପ୍ରତି ନିଷ୍ଠାର ପ୍ରଶଂସା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଭାରତୀୟ ଦଳର ବ୍ୟାଟିଂ କୋଚ ନ ଥିଲେ। ତେଣୁ ଖେଳାଳିଙ୍କ ସହ ନିକଟରୁ କାମ କରିବାର ସୁଯୋଗ ତାଙ୍କୁ ମିଳି ନ ଥିଲା। କେବଳ କେତେକ ସମୟରେ ବ୍ୟାଟିଂ କୋଚ ଓ ମୁଖ୍ୟ କୋଚଙ୍କ ଆଲୋଚନାରେ ନିଜର ପରାମର୍ଶ ଯୋଡ଼ୁଥିଲେ।

୨୦୨୪ରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ସମୟର ଏକ ଘଟଣାକୁ ମଧ୍ୟ ମନେ ପକାଇଛନ୍ତି ଟେନ ଡୋଶେଟ। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଯଶସ୍ବୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କଙ୍କ ବାଉନ୍ସର୍କୁ ଯେପରି ଖେଳିଥିଲେ, ତାହା ତାଙ୍କୁ ଆଜି ବି ମନେ ଅଛି।

ଡୋଶେଟଙ୍କ କହିବା ଅନୁଯାୟୀ, ମ୍ୟାଚ୍‌ର ପ୍ରଥମ ତିନି ଓଭର ମଧ୍ୟରେ ଷ୍ଟାର୍କ ପ୍ରାୟ ୧୫୦ କିମି ବେଗରେ ଏକ ବାଉନ୍ସର୍‌ ପକାଇଥିଲେ। ଯଶସ୍ବୀ ଏହାକୁ ‘ଫ୍ରଣ୍ଟ ଅଫ ସ୍କୋୟାର୍‌’ ଦିଗକୁ ପୁଲ ସଟ ଖେଳିଥିଲେ। ହେଲେ ନେଟ୍ସ ଅଭ୍ୟାସ ସମୟରେ ସେ ସର୍ଟ ବଲ ଖେଳିବାରେ ଅସୁବିଧା ଅନୁଭବ କରୁଥିଲେ। ଏପରି ସ୍ଥିତିରେ ମ୍ୟାଚ୍‌ରେ ତାଙ୍କର ସେହି ସଟ ଦେଖି ଟେନ ଡୋଶେଟ ଆଶ୍ଚର୍ଯ୍ୟ ହୋଇଥିଲେ।

 

Dharitri – Odisha’s No.1 Odia Daily

 

Share