ପୂର୍ବତନ ଛତ୍ରପୁର ବିଧାୟକ ଆଦିକନ୍ଦ ସେଠୀଙ୍କ ବିୟୋଗ

ଗଞ୍ଜାମ,୨୨।୯(ଡି.ଏନ୍‌.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର ୪ଟାରେ ଅକାଳ ବିୟୋଗ ଘଟିିଛି । ବୁଧବାର ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାରଲୋକେ ତାଙ୍କୁ ଖଲିକୋଟ ମେଡିକାଲ ନେଇଥିଲେ l ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଆଦିକନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରମ୍ଭା ସ୍ଥିତ ତାଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ନେତା, ଶୁଭେଚ୍ଛୁଙ୍କ ଧାଡି ଲାଗିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ସେଠୀ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ସେ ବିଜେଡିରେ ଥିଲେ । ଏହାଛଡ଼ା ସେ ଜଣେ ଭଦ୍ର ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ।