Categories: ଖେଳ

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ,୧୮।୭(ଏପି): ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଉଇକେଟକିପର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ୍‌ ରେଫରୀ ବେରୀ ଜର୍ମନ ପରଲୋକ ଗମନ କରିଛନ୍ତି। ୮୪ ବର୍ଷ ବୟସରେ ଶନିବାର ତାଙ୍କର ଦେହାନ୍ତ ହୋଇଛି ବୋଲି ସାଉଥ୍‌ ଅଷ୍ଟ୍ରେଲିଆନ କ୍ରିକେଟ ଆସୋସିଏଶନ ସୂଚନା ଦେଇଛି। ତେବେ ତାଙ୍କ ବିଷୟରେ ଅଧିକ କିଛି ଆସୋସିଏଶନ ତରଫରୁ କୁହାଯାଇନାହିଁ।
୧୯୫୯ରେ କାନପୁରରେ ଭାରତ ବିପକ୍ଷରେ ଜର୍ମନ ଟେଷ୍ଟ ପଦାର୍ପଣ କରିଥିଲେ। ସେ ମୋଟ ୧୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୪.୮୧ ରନ ହାରରେ ୪୦୦ ରନ ସଂଗ୍ରହ କରିବା ସହ ୫୦ଟି କ୍ୟାଚ୍‌ ନେଇଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ସେ ଗୋଟିଏ ମାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ଇଂଲଣ୍ଡ ବିପକ୍ଷ ଆଶେସ୍‌ ଗସ୍ତରେ ଯେତେବେଳେ ବିଲ୍‌ ଲରୀ ଅନୁପସ୍ଥିତ ରହିଥିଲେ ସେତେବେଳେ ଜର୍ମନ ନେତୃତ୍ୱ ନେବାର ସୁଯୋଗ ହାସଲ କରିଥିଲେ। ଜର୍ମନ ଦକ୍ଷିଣ ଅଷ୍ଟ୍ରେଲିଆରେ ଅନ୍ୟତମ ବିଶ୍ୱସ୍ତରୀୟ କ୍ରିକେଟ ରୂପେ ଜଣାଶୁଣା। ସେ ଜଣେ ଲଢୁଆ ଖେଳାଳି ଓ ଭଦ୍ରଲୋକ ଥିଲେ ବୋଲି ସାଉଥ୍‌ ଅଷ୍ଟ୍ରେଲିଆନ କ୍ରିକେଟ ଆସାସିଏଶନ ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ସିନ୍‌କ୍ଲେୟାର କହିଛନ୍ତି। ଜର୍ମନଙ୍କର ସ୍ତ୍ରୀ ଓ ୪ ସନ୍ତାନ ରହିଛନ୍ତି। ସେ ମଧ୍ୟ ୧୯୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି।

Share