ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ ଘର ତେଜପୁରର ପଟିଆ ଅଞ୍ଚଳରେ।
ଦୀର୍ଘଦିନ ଧରି ତାଙ୍କ ଉପରେ ନଜର ରଖିବା ଓ ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ତାଙ୍କୁ ହାଜତକୁ ନେଇଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହ ସମ୍ପୃକ୍ତ ବ୍ୟକ୍ତି ଯୋଗାଯୋଗରେ ରହିବା ସହିତ ସମ୍ବେଦନଶୀଳ ସୂଚନା ଯୋଗାଉଥିଲେ। ତାଙ୍କ ମୋବାଇଲ ଫୋନ୍ ଏବଂ ଲାପ୍ଟପ୍ରୁ ସନ୍ଦେହଜନକ ତଥ୍ୟ ମିଳିଛି। କେତେକ ତଥ୍ୟକୁ ଲିଭାଇ ଦିଆଯାଇଥିବା ଜଣାପଡ଼ିଛି।
ଗୁପ୍ତଚରଗିରି ନେଇ ଶର୍ମାଙ୍କ ଉପରେ ସନ୍ଦେହ ଅତ୍ୟନ୍ତ ଦୃଢ଼ ହୋଇଥିଲେ ମଧ୍ୟ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ତାହା ସ୍ପଷ୍ଟ କରାଯାଇପାରିବ ନାହିଁ ବୋଲି ଡିଏସ୍ପି ହରିଚରଣ ଭୂମିଜ କହିଛନ୍ତି। ଶର୍ମା ଅବସର ନେବା ପୂର୍ବରୁ ତେଜପୁର ବାୟୁସେନା ଘାଟିରେ ଜୁନିୟର ଓ୍ବାରେଣ୍ଟ ଅଫିସର ଭାବେ ପୋଷ୍ଟିଂ ହୋଇଥିଲେ। ଯେଉଁଠି ସୁଖୋଇ-୩୦ ସ୍କ୍ବାଡ୍ରନ୍ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବାୟୁସେନା ସମ୍ପତ୍ତି ରହିଛି।


