Categories: ଜାତୀୟ

ସବୁ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼

ନୂଆଦିଲ୍ଲୀ, ୧୩ା୫ (ପି.ଟି.):ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼ାଯାଇଛି କି ନାହିଁ, ତାହା ଯାଞ୍ଚ କରି ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ ଯୌନ ନିର୍ଯାତନା ପ୍ରତିକାର ଆଇନ କାର୍ଯ୍ୟକାରିତାରେ ଗୁରୁତର ତ୍ରୁଟି ରହିଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ଉପଯୁକ୍ତ ଭାବେ ଯୌନ ଉତ୍ପୀଡ଼ନ କମିଟି ଗଢ଼ାଯାଇ ନ ଥିଲେ, କାର୍ଯ୍ୟସ୍ଥଳରେ ତଦନ୍ତ କରିବାରେ ବାଧା ସୃଷ୍ଟି ହେବ ବୋଲି ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି। ଉପଯୁକ୍ତ ଭାବେ ପ୍ରସ୍ତୁତ ହୋଇ ନ ଥିବା କମିଟି ଦ୍ୱାରା ଅଧାପନ୍ତରିଆ ତଦନ୍ତର ପରିଣାମ ଗମ୍ଭୀର ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସତର୍କ କରାଇ ଦେଇଛନ୍ତି। ତେଣୁ ସବୁ ମନ୍ତ୍ରଣାଳୟ, ବିଭାଗ, ସରକାରୀ ସଂସ୍ଥା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇତ୍ୟାଦିରେ ଉପଯୁକ୍ତ କମିଟି ଗଠନ ହୋଇଛି କି ନାହିଁ, ତାହା ଯାଞ୍ଚ କରି ଦେଖିବା ପାଇଁ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି।

Share