କୋଭିଡ୍‌ ଟିକା ପରିଚାଳନା ଲାଗି କମିଟି ଗଠନ କର

ନୂଆଦିଲ୍ଲୀ,୩୧।୧୦(ପି.ଟି.): କୋଭିଡ୍‌-୧୯ ଟିକା ଯେପରି ସୁବିଧାରେ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ପାରିବ ସେ ଦିଗରେ ସମନ୍ବୟ ରଖିବା ଓ ଟିକାକରଣର ତଦାରଖ ଲାଗି କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ଅଭିଯାନ ବେଳେ ନିୟମିତ ସ୍ବାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହୁଏ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ସେହିପରି ସୋସିଆଲ ମିଡିଆରେ ଟିକାକୁ ନେଇ ଯେପରି କୌଣସି ଗୁଜବ ପ୍ରଚାର ନ ହୁଏ, ତାହା ଉପରେ ମଧ୍ୟ କେନ୍ଦ୍ର ଜୋର୍‌ ଦେଇଛି।
ଟିକା ଆସିବା ପରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯିବ ଓ ବର୍ଷକ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିଅରିଂ କମିଟି (ଏସ୍‌ଏସ୍‌ସି), ଅତିରିକ୍ତ ମୁଖ୍ୟ ସଚିବ କିମ୍ବା ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ରାଜ୍ୟ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଏବଂ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା ଟାସ୍କଫୋର୍ସ (ଡିଟିଏଫ୍‌) ଗଠନ କରିବାକୁ ଗଠନ ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି।

Share