ଦାନ୍ତ ପାଇଁ ବନବିଭାଗ ନୟାନ୍ତ

ବାରିପଦା ଅଫିସ, ୧ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନବିଲ ରେଞ୍ଜରେ ହାତୀ ଦାନ୍ତ ଉଦ୍ଧାର ନେଇ ବନବିଭାଗ ନୟାନ୍ତ ହୋଇପଡିଲାଣି। ରାତିଅଧିଆ ଚଢାଉ କରି ନିରାଶ ହେବା ପରେ ଉପରିସ୍ଥ ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଛି ା ଦିନରାତି କଳବଳ କୌଶଳ ଲଗାଇବା ପରେ ମଧ୍ୟ ଦାନ୍ତ ଜବତ ଓ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କୁ ଧରିବାରେ ବନବିଭାଗ ବିଫଳ ହୋଇଛି। ଏଭଳି ଘଟଣାକୁ ନେଇ ଭଞ୍ଜସେନା ପକ୍ଷରୁ ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି ହେଉଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ା ଫଳରେ ଜନଅସନ୍ତୋଷ ତେଜିବାରେ ଲାଗିଛି।
ଡିସେମ୍ବର ୭ରେ ଜେନାବିଲ ରେଞ୍ଜରୁ ଅଧିକାରୀମାନେ ଏକ ଦନ୍ତାହାତୀକୁ ଶିକାର କରି ପ୍ରମାଣ ନଷ୍ଟ ଉଦ୍ୟମରେ ୩ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହି ଘଟଣାକୁ ନେଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କଡା ତାଗିଦ୍‌ ପରେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ ପରେ କୋର୍ଟଚାଲାଣ କରାଯାଇଥିଲା। ତେବେ ହାତୀ ଶିକାର କରିଥିବା ଅଧିକାରୀମାନଙ୍କଠାରୁ ଅଦ୍ୟାବଧି ମୂଲ୍ୟବାନ ଦାନ୍ତଦ୍ୱୟ ଜବତ ନ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଭୁବନେଶ୍ୱରସ୍ଥିତ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ) ଏସ୍‌.କେ.ପୋପଲି ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ସିସିଏଫ୍‌) ମନୋଜ ଭି. ନାୟାର ଦୁଇଥର ଶିମିଳିପାଳ ଗସ୍ତରେ ଆସି ଘଟଣାର ତଦନ୍ତ କରିଥିଲେ। ତେବେ ହାତୀ ଦାନ୍ତକୁ ଜବତ କରିବା ପାଇଁ ବନବିଭାଗ ୫୦ଜଣ କର୍ମଚାରୀଙ୍କୁ ନେଇ କପ୍ତିପଦା ଥାନା କଟୁରିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ରାତିଅଧିଆ ଚଢାଉ କରିଥିଲା ା ସେଠାରୁ ମଧ୍ୟ ନିରାଶ ହୋଇ ଫେରିଥିଲା। ତାଙ୍କ ଘର ବାହାର ଏପରିକି ଖତଗଦାକୁ ଖୋଳିବା ପରେ ମଧ୍ୟ ହାତୀଦାନ୍ତର ସୁରାକ ପାଇପାରି ନ ଥିଲେ। ଖାଲି ହାତରେ ଫେରିବା ପରେ ବନବିଭାଗର ପାରିବାପଣିଆକୁ ନେଇ ଜିଲାରେ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ(ଆରସିସିଏଫ) ଟି. ଅଶୋକ କୁମାର କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ନାହିଁ, ପଚାରି ବୁଝିବା ପରେ ଜଣାଇବେ। ତେବେ ହାତୀ ଶିକାର ପରେ ଦାନ୍ତକୁ ଅପରାଧୀମାନେ ବିଶାଳ ଅଭୟାରଣ୍ୟ ମଧ୍ୟରେ ମାଟି ଖୋଳି କିମ୍ବା ପଥର ଗୁମ୍ଫାରେ ରଖିଛନ୍ତି ନା ବାହାରକୁ ଚାଲାଣ କରିଛନ୍ତି ତାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପ୍ରାଣୀପ୍ରେମୀମାନେ କହିିଛନ୍ତି ା ସେହିପରି ମହାବଳ ବାଘ ଚମଡା ବିକ୍ରିିରେ ସାମିଲ ଥିବା ୩ଜଣ ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ ଗିରଫ କରି କୋର୍ଟଚାଲାଣ କରିଛି। ଉକ୍ତ ଚମଡା ଶିମିଳିପାଳର ବୋଲି ଜଣାପଡିବା ପରେ ଏହାର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରୁଛନ୍ତି ା