ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ପ୍ରାୟ ୬୨ କର୍ମଚାରୀ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବନଖଣ୍ଡ ଅଧିକାରୀ (ଡିଏଫ୍ଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ କରିଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଅଛନ୍ତି। ଡିଏଫ୍ଓ ସେମାନଙ୍କୁ ଶାରୀରିକ, ମାନସିକ ଏବଂ ଆର୍ଥିକ ଚାପ ଦେଉଥିବା ଅଭିଯୋଗ କରି ସେମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇବା ସହିତ ଡିଏଫ୍ଓଙ୍କ ବଦଳି ଦାବି କରିଛନ୍ତି। ଅନ୍ୟପଟେ ଡିଏଫ୍ଓ ସରୋଜ ପଣ୍ଡା ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ କାର୍ଯ୍ୟରେ ଯୋଗଦେବା ପାଇଁ ସମ୍ପୃକ୍ତ ବନ କର୍ମଚାରୀମାନଙ୍କୁ କହିଛନ୍ତି। ଅପରପକ୍ଷେ ଏହି ଆନ୍ଦୋଳନରେ ବନଖଣ୍ଡରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସାମିଲ ହୋଇନାହାନ୍ତି। ଅନ୍ୟ କେତେକ କର୍ମଚାରୀ ଏବେ ମଧ୍ୟ ଅନ୍ୟଦିନ ଭଳି କାର୍ଯ୍ୟରେ ଯୋଗଦେଇ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଏହି ଦୃଷ୍ଟିରୁ ଅଧେ କର୍ମଚାରୀ ଆନ୍ଦୋଳନରେ ଥିବାବେଳେ ଆଉ ଅଧେ କାର୍ଯ୍ୟରତ ରହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ୬୨ କର୍ମଚାରୀ ଆନ୍ଦୋଳନରେ ଥିବାଯୋଗୁ ବନ ବିଭାଗ କାର୍ଯ୍ୟ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ବରଗଡ଼ ବନଖଣ୍ଡ ଅଧୀନରେ ୬ ଫରେଷ୍ଟ ରେଞ୍ଜ (ବନାଞ୍ଚଳ) ରହିଛି। ସେଗୁଡ଼ିକ ହେଲା: ବରଗଡ଼, ଭଟଲି, ଘେଁସ୍, ପଦ୍ମପୁର, ପାଇକମାଳ ଓ ନୃସିଂହନାଥ ବନାଞ୍ଚଳ। ଏହି ବନାଞ୍ଚଳଗୁଡ଼ିକ ଅଧୀନରେ ବନପାଳ (ଫରେଷ୍ଟର), ବନରକ୍ଷୀ (ଫରେଷ୍ଟ ଗାର୍ଡ଼)ଗୁଡ଼ିକ କାର୍ଯ୍ୟ କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୬୨ କର୍ମଚାରୀ ଡିଏଫ୍ଓଙ୍କ ବିରୋଧରେ ଗତ ପ୍ରାୟ ୩ମାସ ତଳୁ ନାନାଦି ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଗତ ଫେବୃୟାରୀ ୭ ତାରିଖ ସମ୍ବଲପୁର ଆର୍ସିସିଏଫ୍ ତଦନ୍ତ କରିଥିଲେ। ଡିଏଫ୍ଓ ପଣ୍ଡାଙ୍କ ବିରୋଧରେ ସମ୍ପୃକ୍ତ ବନ କର୍ମଚାରୀମାନେ ଆରସିସିଏଫ୍ଙ୍କ ସମ୍ମୁଖରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ଆକ୍ରୋଶମୂଳକ ଭାବେ ବଦଳି, ମାନସିକ ଓ ଶାରୀରିକ ଚାପ ଏବଂ ଗାଳିଗୁଳଜ କରିଥିବା ଅଭିଯୋଗ କରି ଡିଏଫ୍ଓଙ୍କ ବିରୋଧରେ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ବେଳେ ସେମାନଙ୍କ ବିରୋଧରେ ଡିଏଫ୍ଓଙ୍କ ଆଚରଣରେ ମଧ୍ୟ କୌଣସି ପରିବର୍ତ୍ତନ ଘଟି ନଥିବା ସମ୍ପୃକ୍ତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଡିଏଫ୍ଓ ପଣ୍ଡା କହିଛନ୍ତି, ସମସ୍ତ ବନ କର୍ମଚାରୀଙ୍କ ସହଯୋଗରେ ବରଗଡ଼ ବନଖଣ୍ଡ ବିଭାଗ ଆଗକୁ ଯାଉଛି। ଚାରାରୋପଣ, ଚାରା ପ୍ରଦାନ ଭଳି ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହୋଇଛି। ତାଙ୍କ ବିରୋଧରେ ବନ କର୍ମଚାରୀମାନେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଯଦିଓ ସେ କାହାକୁ ଭଲ କାମ କରିବାକୁ ତାଗିଦ କରିଛନ୍ତି ଏବଂ ତାକୁ ସେ ଚାପ ବୋଲି ଅନୁଭବ କରିଛନ୍ତି, ତାହା ଦୁଃଖର ବିଷୟ ବୋଲି ଡିଏଫ୍ଓ ପଣ୍ଡା କହିଛନ୍ତି। ତେବେ ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ କ୍ଷୟ ହେଉଥିବାବେଳେ ଏଭଳି ସ୍ଥିତିରେ ବନ କର୍ମଚାରୀଙ୍କ ଆନ୍ଦୋଳନ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ସେହିପରି ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ୍ କାଠ ଚୋରିଠାରୁ ଚାରା ଦୁର୍ନୀତି ପର୍ଯ୍ୟନ୍ତ ଅଭିଯୋଗ ନେଇ ବରଗଡ଼ ବନଖଣ୍ଡ ଚର୍ଚ୍ଚାରେ ଥିବାବେଳେ ଏବେ ବନ କର୍ମଚାରୀଙ୍କ ଏଭଳି ଆନ୍ଦୋଳନ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।