ବାଘ ରହୁଥିବା ଜଙ୍ଗଲ ଆଜି ବାଘୁଆମେଦ ଗାଁ

ମହାକାଳପଡ଼ା, ୩୦ା୭ (ଡି.ଏନ୍‌.ଏ.): ସାରା ରାଜ୍ୟର ବିଭିନ୍ନ ବନଖଣ୍ଡରେ ପାଳନ ହେଉଛି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଅସନ୍ତୁଳିତ ପରିବେଶ, ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଏମାନଙ୍କ ଅକାଳରେ ଜୀବନ ଚାଲିଯାଉଛି। ସମୟ ଥିଲା ୬୦ ଦଶକ ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ହେନ୍ତାଳ ଜଙ୍ଗଲଗୁଡ଼ିକରେ ଶତାଧିକ ସଂଖ୍ୟାରେ ଚିତା ବାଘ ଦେଖାଯାଉଥିଲେ। ଏହି ହେନ୍ତାଳ ଜଙ୍ଗଲଗୁଡ଼ିକରେ ଏମାନଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ ମହଜୁତ ଥିଲା। ଯଥା ହରିଣ, ବାରହା, କୁଟୁରା, ଆରଣା ମହିଷୀ ଆଦି ଏମାନଙ୍କର ମୁଖ୍ୟ ଖାଦ୍ୟ ଥିଲା। ୧୯୬୦ ଦଶକରେ ଉପକୂଳ ଅଞ୍ଚଳରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ମଧ୍ୟରେ ବାଲି ଦୋରସା ଢିପଗୁଡ଼ିକରେ ବାଘମାନଙ୍କର ଆଶ୍ରୟସ୍ଥଳ ଥିଲା ବୋଲି ପ୍ରତ୍ୟକ୍ଷଦର୍ଷୀ କହିଛନ୍ତି। ମହାକାଳପଡ଼ା ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁସିତ ବଘୁଆମେଦ ଗ୍ରାମର ପୂର୍ଣ୍ଣ ସିଂ (୮୦) ଓ ମକର ସିଂ (୮୨) କହିଛନ୍ତି, ଦିନେ ସଞ୍ଜ ନଇଁ ଆସୁଥାଏ, ବାପାଙ୍କ ସହ ଜଙ୍ଗଲରୁ କାଠ କାଟି ଫେରିଥାଉ। ଆମ ନିକଟରୁ ୨ ଶହ ମିଟର ଦୂରରେ ୬ରୁ୭ ଟି ଚିତା ବାଘ ସାହେବ ପୋଖରୀ ହୁଡାରେ ପାଣି ପିଉଥାନ୍ତି।
ମଣିଷ ବାସ୍ନା ବାରି ପାରି ୨ରୁ୩ ଟି ବାଘ ରଡ଼ି ଛାଡ଼ିଥିଲେ। ଆମେ ଭୟଭୀତ ହୋଇ ବାପାଙ୍କ ସହ ଘରକୁ ଫେରିଥିଲୁ। ସେତେବେଳେ ଆମକୁ ୧୦ରୁ୧୨ବର୍ଷ ହୋଇଥାଏ। ସେଦିନର ବାଘମାନଙ୍କ ଆତଜାତ କରୁଥିବା ହେନ୍ତାଳ ଜଙ୍ଗଲ ଆଜି ବାଘୁଆମେଦ ଗାଁର ଠିକଣା ପାଲଟିଛି। ନା ଅଛି ହେନ୍ତାଳ ଜଙ୍ଗଲ ନା ସେଦିନର ଚିତା ବାଘ। ସାକ୍ଷୀ ରହିଛି ବାଘ ପାଣି ପିଉଥିବା ସାହେବ ପୋଖରୀ ଓ ବାଘୁଆମେଦ ଗାଁ । ଏବେ ଏହି ଗାଁରେ ୭୦ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ଅଞ୍ଚଳ ସହ ବ୍ଲକର ରାମନଗର, ହରିଆବାଙ୍କ, ବାରନମ୍ବର, ନଳଗୋଠ, ବରଜ , ବହାକୁଦ, ପେଟଛେଲା, ଜମ୍ବୁ, ସୁନୀତି, ତନ୍ତିଆପାଳ ଆଦି ଜଙ୍ଗଲଗୁଡ଼ିକରେ ବାଘ ସହ ବିଭିନ୍ନ ଜଙ୍ଗଲ ଜନ୍ତୁ ବସବାସ କରୁଥିଲେ। ଏବେ ଜଙ୍ଗଲ ହ୍ରାସ ହେବା, ଜନବସତି ଗଢ଼ି ଉଠିବା ଯୋଗୁ ବନ୍ୟ ଜନ୍ତୁ ଲୋପ ପାଇଛି। କେବଳ ଲୁଣା ଜଙ୍ଗଲଗୁଡ଼ିକରେ ବାର୍‌ହା, ହରିଣ ସଂଖ୍ୟା ବହୁଳ ପରିମାଣରେ ବୃଦ୍ଧି ପାଇଛି। ବ୍ଲକର ବତୀଘର, ଖରିନାସୀ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ଏମାନଙ୍କ ଆଶାତୀତ ବୃଦ୍ଧି ପାଇବା ଯୋଗୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ପଡୁଛି। ସମୟ ଆସିବ ବାଘ ଭଳି ଏମାନଙ୍କ ବଂଶ ଲୋପ ପାଇବାକୁ ଏଡାଇ ଦିଆଯାଇ ନ ପାରେ। ବ୍ଲକର ଏହି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହରିଣ ବଂଶର ସୁରକ୍ଷା ବୃଦ୍ଧି ପାଇଁ ପାର୍କ ନିର୍ମାଣ ଯଦି କରାଯାଏ, ତେବେ ବହୁ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ ହେବା ସହ ରାଜସ୍ବ ବୃଦ୍ଧି ପାଇବ ବୋଲି ପରିବେଶପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।