ଗଛକୁ ରାଖୀ ବାନ୍ଧିଲେ ବନ କର୍ମଚାରୀ

ମୋରଡ଼ା,୩୦ା୮(ସ୍ମାରକ ମାଜୀ): ଆଜି ରକ୍ଷାବନ୍ଧନ ଅବସରରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ନିଆରା ଢଙ୍ଗରେ ରାଖୀ ଉତ୍ସବ ପାଳନ କରାଯାଇଛି। ଭାଇମାନଙ୍କ ହାତରେ ଭଉଣୀ ରାଖୀ ବାନ୍ଧି ନିଜର ସୁରକ୍ଷା କରିବାର ସଂକଳ୍ପ ଭାଇଠାରୁ ନେଇଥାଏ। ଠିକ୍‌ ସେହିପରି ଗଛ ଜୀବଜଗତ ଓ ପ୍ରକୃତିକୁ ସୁରକ୍ଷା ଦେଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବଜଗତର ସୁରକ୍ଷା ବଳୟ ଭାବେ ଜଙ୍ଗଲର ଗଛଲତା ଠିଆ ହୋଇଥାଏ।
ତେବେ ଆଜି ଉକ୍ତ ରେଞ୍ଜ ଅଧୀନ ଶଙ୍ଖାଭଙ୍ଗା ବିଟର ଝିଙ୍କିରିଆଶୋଳ ଗ୍ରାମର ଗଣ୍ଡିଗଧା ସଂରକ୍ଷିତ ଜଙ୍ଗଲରେ ବନବିଭାଗର କର୍ମଚାରୀମାନେ ଜଙ୍ଗଲରେ ଥିବା ଗଛକୁ ପୂଜାର୍ଚ୍ଚନା କରିବାପରେ ଗଛକୁ ରାଖୀ ବାନ୍ଧିଛନ୍ତି। ଏହି ଅବସରରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ପ୍ରକାଶଚନ୍ଦ୍ର ଗଗିନେନି, ଅତିରିକ୍ତ ଏସ୍‌ପି ଉମେଶ କୁମାର ପଣ୍ଡା, ଉମାଶଙ୍କର ମହାରଣା, ଶିମିଳିପାଳ ଏସ୍‌ସିଏଫ୍‌ ସମରେଶ ବିଶ୍ୱାଳ, ବାରିପଦା ଏସ୍‌ସିଏଫ୍‌ ରବିନାରାୟଣ ମହାନ୍ତି, ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ, ଡେପୁଟି ରେଞ୍ଜର ମହାବୀରସିଂ ମୁର୍ମୁ, ଫଷ୍ଟେର ପ୍ରଗତୀ ପ୍ରିୟଦର୍ଶିନୀ ମିସ୍ତ୍ରୀ, ଫରେଷ୍ଟଗାର୍ଡ ରଞ୍ଜନ କୁମାର ସେଠୀ, ଅଶୋକ କୁମାର ନାଏକ, ଏନ୍‌ଜିଓ କର୍ମଚାରୀ ବିବେକାନନ୍ଦ ପଟ୍ଟନାୟକ ଏବଂ ତାଙ୍କର କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ଦ୍ୱାରା ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।