ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୁଇ ଉଜୁଡା ଜଙ୍ଗଲ ଜୀବନ୍ୟାସ ପାଇଛି। ଏବେ ସେହି ଜଙ୍ଗଲ ସବୁଜିମାରେ ପୂରି ଉଠିଛି। ଆଦିବାସୀଙ୍କ ଏହି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଛି।
ଷଣ୍ଢମରା ଓ ସମ୍ପଡ଼ା ଗାଁ ନିକଟରେ ରହିଛି ହାତୀମୁଣ୍ଡ ଜଙ୍ଗଲ। ପ୍ରାୟ ୩୦ ବର୍ଷ ତଳେ ସେହି ଜଙ୍ଗଲ ଶାଳଗଛରେ ପୂରି ରହିଥିଲା। ହେଲେ କାଠ ମାଫିଆମାନେ ଧୀରେ ଧୀରେ ସେହି ଜଙ୍ଗଲକୁ ପଦା କରି ଦେଇଥିଲେ। ଏପରି ସ୍ଥିତି ଦେଖି ଦୁଇ ଗାଁର ଆଦିବାସୀମାନେ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ଉଭୟ ଗାଁରେ ଏଥିପାଇଁ ବୈଠକ ବସିଲା। ଗାଁ ଲୋକ ଜଙ୍ଗଲ ଜଗିବାକୁ ସହମତି ପ୍ରକାଶ କରିବା ପରେ ପରିବାର ପିଛା ମୁଠେ ଲେଖାଏ ଚାଉଳ ଆଦାୟ କରାଗଲା। ଦୁଇ ଗାଁର ୪ଜଣ ଲୋକ ପାଳି କରି ଜଙ୍ଗଲକୁ ସୁରକ୍ଷା ଦେଲେ। ସଂଗ୍ରହ କରାଯାଉଥିବା ମୁଠି ଚାଉଳକୁ ବିକ୍ରି କରି ଯାହା ମିଳୁଥିଲା ତାହା ଜଙ୍ଗଲ ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଉଥିଲା। ପ୍ରଥମେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଥିଲା। ଆଦିବାସୀମାନେ ଭୟ ନ କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଧୀରେ ଧୀରେ ସେହି ଜଙ୍ଗଲରୁ କାଠ ମାଫିଆଙ୍କ ଅଧିକାର ହଟିଥିଲା। ଏବେ ଷଣ୍ଢମରାରେ ୧୭୭ ହେକ୍ଟର ଓ ସମ୍ପଡ଼ାରେ ୧୫୦ ହେକ୍ଟର ଜଙ୍ଗଲରେ ଶାଳଗଛ ଠିଆ ହୋଇଛି।
ଷଣ୍ଢମରା ଓ ସମ୍ପଡ଼ା ଗାଁରେ ବସବାସ କରୁଥିବା ଆଦିବାସୀଙ୍କ ନିଜସ୍ବ ଜମି ନାହିଁ କହିଲେ ଚଳେ। ସେମାନେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ଘରର ମହିଳାମାନେ ଜଙ୍ଗଲରୁ ଶାଳପତ୍ର ଆଣି ଖଲି ତିଆରି କରନ୍ତି। ଜଙ୍ଗଲର ଶୁଖିଲା କାଠ ବିକ୍ରି କରିଥାନ୍ତି। ଶୁଖିଲା କାଠ ବି ଜାଳେଣି ପାଇଁ ବ୍ୟବହୃତ ହୁଏ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଷଣ୍ଢମରାର ପ୍ରମୋଦ ପ୍ରଧାନ ଓ ସମ୍ପଡ଼ା ଗାଁର ନରେନ୍ଦ୍ର ବେହେରା କୁହନ୍ତି, ଷଣ୍ଢମରାରେ ୨୦ ପରିବାରର ୧୦୦ ଓ ସମ୍ପଡ଼ାରେ ୧୭ ପରିବାରର ୭୬ ଲୋକ ବାସ କରନ୍ତି। ସବୁ ଲୋକ ଜଙ୍ଗଲ ସୁରକ୍ଷାରେ ଲାଗି ପଡିଛନ୍ତି। ଜଙ୍ଗଲ ବଢ଼ିବା ପରେ ୨ଜଙ୍ଗଲକୁ ବନ ସୁରକ୍ଷା ସମିତିରେ ସାମିଲ କରାଯାଇଛି। ହେଲେ ସୁଫଳ ମିଳୁନାହିଁ। କେବଳ କାଗଜକଲମରେ ଆମ ଜଙ୍ଗଲ ବନ ସୁରକ୍ଷା ସମିତିରେ ରହିଛି ବୋଲି ଉଭୟ କହିଛନ୍ତି।