ବିକ୍ରି ହେଉନି ବନଜାତ ଦ୍ରବ୍ୟ

କୁଆମରା,୬ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଦେଖାଦେଇଛି। ଫଳରେ ଏଠାକାର ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି। ସେମାନେ ସଂଗ୍ରହ କରିଥିବା ମହୁଲ ଓ ଶାଳ ଫୁଲ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆଦିବାସୀ ବହୁଳ ଏହି ବ୍ଲକର ୮୦ ପ୍ରତିଶତ ଲୋକ ଗରିବ ଓ ଖଟିଖିଆ ଶ୍ରେଣୀର ହୋଇଥିବାରୁ ଏହା ସେମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି। ସରକାର ଓ ବନ ବିଭାଗ ପକ୍ଷରୁ ବନଜାତ ଦ୍ରବ୍ୟ ବିକ୍ରି ଲାଗି ବ୍ୟବସ୍ଥା କରାଯାଉ ନ ଥିବାରୁ ଦଲାଲ ଓ ବେପାରୀମାନେ ମାଲେମାଲ ଦେଉଛନ୍ତି।
ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ମହୁଲ ଓ ଶାଳ ମଞ୍ଜି ସଂଗ୍ରହ ପରେ ଲୋକଙ୍କ ଘରେ ଜମା ହୋଇ ରହିଛି। ୨୦୦୮ରେ ବନଜାତ ଦ୍ରବ୍ୟ କିଣିବା ପାଇଁ ସରକାର ପଞ୍ଚାୟତମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗୋପବନ୍ଧୁନଗର ବ୍ଲକରେ ସେପରି କୌଣସି ବ୍ୟବସ୍ଥା କରାଯାଇନାହିଁ। ଲଘୁ ବନଜାତ ଦ୍ରବ୍ୟ ବିକ୍ରି ଲାଗି ସରକାରଙ୍କ ପକ୍ଷରୁ ଯଦି ମଣ୍ଡି ଖୋଲାଯାଆନ୍ତା ତେବେ ଆଦିବାସୀମାନେ ଉପକୃତ ହୋଇ ପାରନ୍ତେ ବୋଲି ରବୀନ୍ଦ୍ର ସିଂ, କୃପାସିନ୍ଧୁ ସିଂ, ଶ୍ୟାମ ସିଂ, ଜିତୁ ସିଂ, ବାସନ୍ତୀ ସିଂ ଓ ହୀରାମଣୀ ସିଂ ପ୍ରମୁଖ କହିଛନ୍ତି। ଏସଂକ୍ରାନ୍ତରେ ଫରେଷ୍ଟର କେ. ସୋରେନଙ୍କୁ ପଚାରିବାରୁ ସରକାର କିମ୍ବା ବନ ବିଭାଗ ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି।