ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ବ୍ରହ୍ମପୁରରୁ ଏକ ବୋଲେରୋ ଗାଡ଼ିରେ ସୋମବାର ରାତିରେ ଦିଗପହଣ୍ଡି ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ରାସ୍ତାରେ ଅଟକାଇ ତାଙ୍କ ଗାଡ଼ି ଯାଞ୍ଚ କରିଥିଲା। ଗାଡ଼ିରୁ ୧ ଲକ୍ଷ ୫୨ ହଜାର ଟଙ୍କା ମିଳିଥିବା ବେଳେ କେଉଁଠୁ ସେ ଏତେ ଟଙ୍କା ଆଣିଲେ, ସେ ନେଇ ସଠିକ୍‌ ଉତ୍ତର ଦେଇପାରି ନ ଥିଲେ। ଫଳରେ ସେହି ଟଙ୍କା ଭିଜିଲାନ୍ସ ଟିମ୍‌ ଜବତ କରିଥିଲା। ପରେ ଦିଗପହଣ୍ଡି ସରକାରୀ ବାସଭବନ, ଅଫିସ ଏବଂ ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଭଡ଼ା ଘରେ ଏକ ସଂଗେ ଚଢ଼ାଉ କରାଯାଇଥିଲା। ସେଠାରୁ ୩ ଲକ୍ଷ ୮୭ ହଜାର ୭୫୦ ଟଙ୍କା ଜବତ ହୋଇଛି। ଏପରି ଏଯାବତ ୫ଲକ୍ଷ ୩୯ହଜାର ୭୫୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏନେଇ ନଂ ୮/୨୩ ରେ ଏକ ମାମଲା ରୁଜୁ କରାଯାଇ ବନାଞ୍ଚଳ ଅଧିକାରୀ ପଟ୍ଟନାୟକଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ମିଳିଛି।