ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ମୃତ

ବାରିପଦା ଅଫିସ, ୨୩।୫: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗରିପୋଷି ରେଞ୍ଜ ବାଉଁଶଖାଳ ବିଟ୍‌ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଜଣେ ଶିକାରୀଙ୍କ ଗୁଳିରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ଫରେଷ୍ଟଗାର୍ଡ ହେଲେ ବାରିପଦା ଭଞ୍ଜପୁର ଅଞ୍ଚଳର ବିମଲ କୁମାର ଜେନା। ବିମଲ ଚାକିଡି ରେଞ୍ଜରେ ଡ୍ୟୁଟି କରୁଥିବା ବେଳେ ଏହି ଘଟଣା ଘଟିଛି। ବାଙ୍ଗିରପୋଷି, ବାରିପଦା ଭଞ୍ଜପୁର ପୋଲିସ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ରେଞ୍ଜ ମଧ୍ୟରେ ହଠାତ୍‌ ଗୁଳି ଶବ୍ଦ ଶୁଭିବାରୁ ଅନ୍ୟ କର୍ମଚାରୀମାନେ ପାଖକୁ ଆସି ବିମଳ ରକ୍ତ ଜୁଡୁବୁଡ ଅବସ୍ଥାରେ ତଳେ ପଡିଥିବା ଦେଖିଥିଲେ। ଶିକାରୀମାନେ ଅନ୍ୟ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନିକଟରେ ବିମଳ ଜଣେ ମହିଳା ଗାର୍ଡଙ୍କୁ ବିବାହ କରିଥିଲେ। କର୍ମଚାରୀମାନେ ପରିବାର ଲୋକଙ୍କୁ ଜଣାଇବା ପରେ ସ୍ତ୍ରୀ ଆସି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସଂଜ୍ଞାହୀନ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ନେଇ ବନ କର୍ମଚାରୀ ଓ ପୋଲିସ ଜଙ୍ଗଲ ମଧ୍ୟକୁ ଯାଇଥିଲେ। ବନ କର୍ମଚାରୀମାନେ ବିମଳଙ୍କ ମୃତଦେହକୁ ପିଆରଏମ୍‌ ମେଡିକାଲ ଆଣିଛନ୍ତି। ମଙ୍ଗଳବାର ସେଠାରେ ବ୍ୟବଚ୍ଛେଦ କରାଯିବ।