ଅସନବଣି ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀଛୁଆ ମୃତଦେହ ଜବତକଲା ବନ ବିଭାଗ

ମୋରଡ଼ା/ବେତନଟୀ,୧୭ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଉକ୍ତ ହାତୀର ବୟସ ୧ ବର୍ଷ ହେବ। ସପ୍ତାହେ ପୂର୍ବରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜରେ କିଛିଦିନ ହେବ ୪୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଉପଦ୍ରବ ଚଳାଇଥିଲେ। ସୋମବାର ଉକ୍ତ ଜଙ୍ଗଲରେ ଏକ ହାତୀଛୁଆର ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ଏସ୍‌ସିଏଫ୍‌ ରବିନାରାୟଣ ମହାନ୍ତି, ଡିଏଫ୍‌ଓ ସନ୍ତୋଷ ଯୋଶୀ, ବେତନଟୀ ରେଞ୍ଜର ଘନଶ୍ୟାମ ସିଂ, ଫରେଷ୍ଟର ଶୋଭାକର ସିଂ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏତେ ଦିନ ଧରି ହାତୀଛୁଆର ମୃତ୍ୟୁ ସମ୍ପର୍କରେ ବନ ବିଭାଗ କିପରି ଜାଣିପାରିଲା ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।