ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ କରି କାଠ ଓ ଯନ୍ତ୍ରାଂଶ ଜବତ କରିଛି । ଭଦ୍ରକ ଜିଲା ଧାମନଗର ବଜାରଠାରେ କିଛି ଦିନ ହେଲା ବେଆଇନ ଭାବେ କରତକଳ ଚାଲି ଆସୁଥିଲା। ଧାମନଗର ବନ ବିଭାଗ ସୋମବାର ସକାଳୁ ଚଢ଼ାଉ କରିଛି ।

ଵନ ବିଭାଗ ବେଆଇନ କରତ କଳରୁ ପୁଣ୍ଟିଆ, ଜାମୁ, ଅର୍ଜୁନ ଓ ଅନ୍ୟାନ୍ୟ କାଠ ଗଡ ଓ ଯନ୍ତ୍ରାଂଶ ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ଜବତ କରିଛି । ଚାନ୍ଦବାଲି ଡିଏଫଓଙ୍କ ମୃତ୍ୟୁ ପରେ ଚାର୍ଜରେ ଥିବା ଭଦ୍ରକ ଏସିଏଫ୍ ସୁମିତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ବନବିଭାଗ ରେଞ୍ଜର ବବୁଲ ମଲିକ, ଧାମନଗର ଫରେଷ୍ଟର ବସନ୍ତ ମାଝୀ, ଭଣ୍ଡାରିପୋଖରୀ ଫରେଷ୍ଟର କୃଷ୍ଣ ଚନ୍ଦ୍ର ବାସ୍କେ, ମଧୁସ୍ମିତା ମହାନ୍ତି ଓ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ, ସୁହାସିନୀ ସ୍ୱାଇଁ, ପ୍ରଦୀପ କୁମାର ନାୟକ, ଲିପିକା ପ୍ରିୟଦର୍ଶନୀ ଦାସ, ଲକ୍ଷ୍ମୀ ହେମ୍ବ୍ରମ, ରେବତୀ ତ୍ରିପାଠୀ, ନିକିତା ସିଂଙ୍କ ସମେତ ଧାମନଗର ପୋଲିସ ସହାୟତାରେ ଧାମନଗର ଏନଏସି ଅଧିନ ମୁଖ୍ୟ ରାସ୍ତା ପାର୍ଶ୍ୱରେ ହବିବନଗର ଠାରେ ଚାଲୁଥିବା ବେଆଇନ କରତକଳ ଉପରେ ଚଢ଼ାଉ କରିଥିଲେ।

ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ରେଞ୍ଜର ବବୁଲ ମଲିକ କହିଛନ୍ତି । ଚଢ଼ାଉ ସମୟରେ କରତକଳ ମାଲିକ ଫେରାର ହୋଇଯାଇଥ‌ିବା ଜଣାଯାଇଛି । ତେବେ ଵନ ବିଭାଗ ପକ୍ଷରୁ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଚାଲୁଥିବା କରତ କଳ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଏକ ସପ୍ତାହ ତଳେ ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୂର୍ ଠାରେ ଚଢାଉ କରି କାଠ ଓ ଯନ୍ତ୍ରାଂଶ ଜବତ କରିଥିଲା ବେଳେ ଆଜିର ଏହି ଚଢାଉ ବେଆଇନ କରତକଳ ଚଳାଉଥିବା ମାଲିକଙ୍କ ମଧ୍ୟରେ ଛନକା ପଶିଛି ।

ଆଗାମୀ ଦିନରେ ଏହି ଚଢ଼ାଉ ପର୍ଯ୍ୟାୟକ୍ରମେ ଜାରି ରହିବ ବୋଲି ସୂଚନା ମିଳିଛି ।ତେବେ ଅନ୍ୟାନ୍ୟ ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

 

Dharitri – Odisha’s No.1 Odia Daily