ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା ’ ରତନେଇ ମନ୍ଦିର ପାଖରେ ବାଘ ବୁଲୁଥିବା ଘଟଣା ନେଇ ସାଧାରଣରେ ଭୟର ବାତାବରଣ ଲାଗି ରହିଛି। ସୋମବାର ସାରୁ ଚିକିଟି ବନ ବିଭାଗ ସେକ୍ସନ ଫରେଷ୍ଟର କାମନା ଭୁଁୟା,ଫରେଷ୍ଟ ଗାର୍ଡ ମିତାରାଣୀ ବିଶ୍ୱାସରାୟଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବନ କର୍ମଚାରୀ,ସ୍କ୍‌ବାର୍ଡ ସଦସ୍ୟ ବୃନ୍ଦ ସମ୍ପୃକ୍ତ ଅଞ୍ଚଳରେ ଡ୍ରୋନ କ୍ୟାମେରା ସହାୟତାରେ ସର୍ଭେଲାନ୍ସ କାର୍ଯ୍ୟ ଚଳାଇଛନ୍ତି। ରାତି ୮ ସୁଦ୍ଧା ବାଘର ଉପସ୍ଥିତି ନେଇ ବନ କର୍ମଚାରୀଙ୍କୁ କୌଣସି ସୁରାକ ମିଳିପାରିନଥିବା ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି। ଅପରପକ୍ଷରେ ଗତ ଦୁଇଦିନ ହେଲା ସା ହେଲେ ଜଙ୍ଗଲ ସଂଲଗ୍ନ ଗାଁ ଗୁଡିକରେ ତାଟି କବାଟ ପଡିଯାଉଛି। ବାଘ ଭୟ ଯୋଗୁ ରାସ୍ତାରେ ଲୋକେ ଚଳପ୍ରଚଳ କରିବାକୁ ନିରାପଦ ମନେକରୁନାହାନ୍ତି। ଦୁଇଦିନ ପୂର୍ବେ ବାଘ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ୩ ଛେଳି ନେଇ ଖାଇଦେଇଥିବା ଅଭିଯୋଗ ହୋଇଥିଲା। ଗତ ଶନିବାର ସାରେ କିଛି ବ୍ୟକ୍ତି କାର ଓ ବାଇକରେ ଦିଗପହଣ୍ଡିରୁ ଚିକିଟି ଅଭିମୁଖେ ଯାଉଥିବା ବେଳେ ଏକ କଲରା ପତରିଆ ବାଘ ( ଲିଓପାର୍ଡ)କୁ ଦେଖି ମୋବାଇଲ ଫୋନରେ ଭିଡିଓ ଓ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏନେଇ ଦିଗପହଣ୍ଡି ବନ ବିଭାଗ ସୂଚନା ପାଇବା ପରେ ରବିବାର ସକାଳେ ରେଞ୍ଜର ଦିବ୍ୟରଞ୍ଜନ ସାହୁ,ଚିକିଟି ଫରେଷ୍ଟର କାମନା ଭୁଁୟା,ଫରେଷ୍ଟ ଗାର୍ଡ ମିତାରାଣୀ ବିଶ୍ୱାସରାୟ, ବନ ବିଭାଗ ସ୍କୁଆର୍ଡ ସଦସ୍ୟ ସନ୍ତୋଷ ଗୌଡ଼ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ବନବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସହାୟତାରେ ବାଘ ଠାବ ପାଇଁ ପଦକ୍ଷେପ ନିଆଯାଇଥିଲା।ପରେ ନିକଟସ୍ଥ ଗୁହାଳ ଓ ନଦୀ ଘାଟ ନିକଟରେ ୨ ଟି ଟ୍ରାପ କ୍ୟାମେରା ମଧ୍ୟ ସଂଯୋଗ କରାଯାଇଥିବା ଜଣାପଡ଼ିଛି।

 

Odisha’s No.1 Odia Daily

Share