ଶୁଖିଲା ଗଛ କହି ବନ ବିଭାଗ କାଟିଥିଲା ଶାଳଗଛ

ବଡ଼ଗାଁ,୮ା୮( ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ପକ୍ଷରୁ ମହାବୀର ପର୍ବତ ତଳି ଅଞ୍ଚଳରେ ଚାରା ରୋପଣ କରାଯାଉଛି। ଚାରା ରୋପଣ ହୋଇଥିବା ସ୍ଥାନରେ ବାଡ ଦେବାପାଇଁ ଫରେଷ୍ଟର କାର୍ଯ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୁଖିଲା ଗଛ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ନିଜେ ସେଠାରେ ଉପସ୍ଥିତ ରହି ନ ଥିଲେ। ନିର୍ଦ୍ଦେଶ ଅନୁଯାୟୀ ଶ୍ରମିକମାନେ ସାଲେପାଲି ଗ୍ରାମବାସୀ ସୁରକ୍ଷା ଦେଇ ଆସୁଥିବା ଶାଳବଣରୁ ବହୁ ସଂଖ୍ୟକ ଶାଳ ଗଛ କାଟି ଦେଇଥିଲେ। ଗଛ ଶୁଖି ନାହିଁ, ଗଛରେ ହାରନା ପୋକ ଲାଗିଥିବାରୁ ପତ୍ର ନାହିଁ, କିଛି ଦିନ ମଧ୍ୟରେ ପତ୍ର କଅଁଳି ଯିବ ବୋଲି ଗ୍ରାମାବସୀ ଫରେଷ୍ଟରଙ୍କୁ କହିବାରୁ ଗଛ କଟା ବନ୍ଦ ହୋଇଥିଲା। ଏ ସମ୍ପର୍କିତ ଖବର ଗତମାସ ୨୮ରେ ଧରିତ୍ରୀରେ ପ୍ରକାଶ ପାଇଲା ପରେ ଫରେଷ୍ଟର ତୃଷ୍ଣା ନାଏକ ଓ ଅତିରିକ୍ତ ରେଞ୍ଜର ପାହାଡ଼ ତଳିକୁ ଯାଇ ଯାଞ୍ଚ କରିଥଲେ। ସେଠାରେ ମଧ୍ୟ ଫରେଷ୍ଟର ନାଏକ ଅଭିଯୋଗକାରୀ ସାଲେପାଲି ଗ୍ରାମର ଦେବେନ୍ଦ୍ର ସାହୁଙ୍କୁ ଶାଳ ଗଛ ଗୁଡ଼ିକ ଶୁଖିଲା ଥିବା କହିଥିଲେ। ଘଟଣାସ୍ଥଳରେ ଅଭିଯୋଗକାରୀ ସାହୁ କିଛି ଦିନ ପରେ ସ୍ପଷ୍ଟ ପ୍ରମାଣ ମିଳିଯିବ ବୋଲି କହିଥିଲେ। ତେବେ ଗଛ କଟାଯିବାର ୧୫ ଦିନ ପରେ ସମସ୍ତ ଗଛରେ ପତ୍ର କଁଅଳିଥିବା ଦେଖାଯାଇଛି। ଏଥିରୁ ଜୀବନ୍ତ ଶାଳ ଗଛ ଗୁଡ଼ିକୁ କଟା ଯାଇଥିବା ପ୍ରମାଣ ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଶାଳବଣର ପ୍ରାୟ ସମସ୍ତ ଗଛରେ ପୋକ ଲାଗିଥିବାରୁ ଗଛ ଗୁଡ଼ିକ ପତ୍ରଶୂନ୍ୟ ହୋଇଯାଇଥିଲା। ଦେଢ଼ ମାସ ପରେ ସମସ୍ତ ଗଛ ସବୁଜିମା ଦେଖାଯାଉଛି। ଶାଳଗଛରେ ବର୍ଷ ଋତୁ ସମୟରେ ପୋକ ଲାଗିବ ଓ କିଛି ମାସ ମଧ୍ୟରେ ଗଛରେ ପତ୍ର କଅଁଳିବା ଗ୍ରାମବାସୀ ପୂର୍ବ ପୁରୁଷରୁ ଦେଖି ଆସୁଛନ୍ତି। ହେଲେ ବନ ବିଭାଗ କର୍ମଚାରୀ ଏହାକୁ ନ ବୁଝି ବହୁ ସଂଖ୍ୟକ ଶାଳ ଗଛ କାଟି ଦେଇଥିଲେ।