୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ତଥା ପ୍ରତିଷ୍ଠାନ ଶାଖା(Establishment Section)ଦାୟିତ୍ବରେ ଥିବା ବାବୁଲୁ ସୁନାଙ୍କୁ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଗତ ୬ ମାସ ହେବ ଫେରାର ଥିବା ବାବୁଲୁଙ୍କୁ ଶନିବାର ରାତିରେ ବଲାଙ୍ଗୀରରୁ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଥିଲା। ରବିବାର ଅଭିଯୁକ୍ତ ସୁନାକୁ ଭିଜିଲାନ୍ସ ଭବାନୀପାଟଣାସ୍ଥିତ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି। ସେଠାରେ ତାଙ୍କ ଜାମିନ ନ ମିଳିବାରୁ ଅଭିଯୁକ୍ତ ସୁନାଙ୍କୁ ଜେଲ ଯିବାକୁ ପଡିଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାବୁଲୁ ସୁନା ନିଜ ପଦବୀର ଅପବ୍ୟବହାର କରି ଗତ ୨୦୨୩ ମସିହାରୁ ଏମଏସିପି ଓ ଆର୍‌ଏସିପି ଯୋଜନା ନାଁରେ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କାର ନକଲି ମିଥ୍ୟା ବକେୟା ଦରମା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି । ଏଥିରେ ସେ ସଂସ୍ଥାର ପୂର୍ବତନ, ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ପରିଚୟପତ୍ର ଓ କ୍ରେଡେନସିଆଲ୍ ବ୍ୟବହାର କରି ଏହି ଜାଲିଆତି କରିଥିଲେ । ସେ ସରକାରୀ ପାଣ୍ଠିକୁ ନିଜର ପତ୍ନୀ, ଭାଇ, ଭଉଣୀ ଏବଂ ୨ ଜଣ ନିକଟତର ସହଯୋଗୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ସେଥିରୁ ଟଙ୍କା ଆତ୍ମସାତ କରୁଥିଲେ।

କେବଳ ସେତିକି ନୁହେଁ, ସରକାରୀ ରେକର୍ଡରେ ହେରଫେର କରି ନିଜର ମାସିକ ଦରମା ବୃଦ୍ଧି ମଧ୍ୟ ବେଆଇନ ଭାବେ ବଢ଼ାଇ ଅଧିକ ୧୦ ଲକ୍ଷ ୫୮ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ସରକାରୀ ଅର୍ଥ ହଡ଼ପ ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା ନଂ (୨୪ ଓ ୨୫/୨୦୨୬)ରେ ରୁଜୁ ହୋଇଛି । ବର୍ତ୍ତମାନ ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଳ ଜାରି ରହିଛି ।

 

Dharitri – Odisha’s No.1 Odia Daily

Share