ପଞ୍ଚଲିଙ୍ଗେଶ୍ୱର, କୁଲଡ଼ିହାରେ ବିଦେଶୀ ପର୍ଯ୍ୟଟକ

ନୀଳଗିରି,୨୮ା୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଓ କୁଲଡିହା ଅଭୟାରଣ୍ୟର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ। ଚଳିତବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।
କୁଲଡିହା ଅଭୟାରଣ୍ୟରେ ଚଳିତବର୍ଷ ପ୍ରଥମ ବିଦେଶୀ ପର୍ଯ୍ୟଟକ ଭାବେ ହଲାଣ୍ଡରୁ ବ୍ରାମ ଦୁଇଟ୍ସ ଓ ତାଙ୍କ ସ୍ତ୍ରୀ ଲାରାଭାନ ରୋଏସେଲ ନୀଳଗିରି କୁଲଡିହା ଅଭୟାରଣ୍ୟ ଆସିଥିଲେ। ଗୋହିରାଭୋଳଠାରେ ‘ରିଷିଆ ପ୍ରକୃତି ନିବାସ’ରେ ସେମାନେ ରାତ୍ରିଯାପନ କରି ଫେରିଛନ୍ତି। ଇଣ୍ଟରନେଟରୁ କୁଲଡିହା ସମ୍ପର୍କରେ ଜାଣିବା ପରେ ସେ ଗତ ୨୫ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ବୁଲେଟରେ ଏଠାକୁ ଆଗମନ କରି କୁଲଡିହା ଅଭୟାରଣ୍ୟର ରିଷିଆ ବିଭିନ୍ନ ଅଞ୍ଚଳରେ ବୁଲି ରମଣୀୟ ଦୃଶ୍ୟ ଦେଖି ବିଭୋର ହୋଇଥିଲେ। ନେଚର୍ସ କ୍ୟାମ୍ପରେ ରହିବା ସହ ତମ୍ବୁ ଘରେ ଶୌଚାଳୟ, ଆଲୋକ ବ୍ୟବସ୍ଥା ଓ ରୁଚିକର ଦେଶୀ ଖାଦ୍ୟ ଖାଇ ସନ୍ତୋଷ ପ୍ରକାଶ କରିଥିଲେ। ୨୬ତାରିଖ ପୂର୍ବାହ୍ନରେ ଟିଫିନ କରି ଫେରିଯାଇଥିଲେ। ସେହିପରି ଇଟାଲୀରୁ ଏକ ଦମ୍ପତି ଭାରତ ଭ୍ରମଣରେ ଆସି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ବିଷୟ ଜାଣିବା ପରେ ସେ କୋଲକାତାରୁ ବୁଲେଟରେ ବାହାରି ନୀଳଗିରି ନିକଟ ପଞ୍ଚଲିଙ୍ଗେଶ୍ୱରସ୍ଥିତ ଏକ ଘରୋଇ ସାଇ ହିଲ ଭ୍ୟୁ ରିସର୍ଟକୁ ଗତ ୧୪ତାରିଖରେ ଆଗମନ କରିଥିଲେ। ଜେନ ଫ୍ରାନକୋଜ ଖ୍ରୀଷ୍ଟଫେ ରେନେ ଓ ସ୍ତ୍ରୀ ମାର୍ଗେରିଟା ଇଭାସେଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୁଇ ଦିନର ରହଣିରେ ସେମାନେ ପଞ୍ଚଲିଙ୍ଗେଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟ, ଖୁମକୁଟ, ବିଶେଶ୍ବର, ବଉଳଗଡ଼ିଆର ପଥର ମୂର୍ତ୍ତି, ଚିନ୍ତାମଣିପୁରର ଟେରାକୋଟା କାମ ଆଦି ବୁଲି ଦେଖିଥିଲେ। ସେମାନେ ଖାଦ୍ୟରେ ଡାଲମା, ରୁଟି, ଦହି, ପଖାଳ, ବାଇଗଣ ବଡି ଚୁରା ଖାଦ୍ୟ ଖାଇ ଆନନ୍ଦ ଅନୁଭବ କରିଥିଲେ। ରହଣି ମଧ୍ୟରେ ଏଠାକାର ମନଲୋଭା ପରିବେଶ ହୃଦୟସ୍ପର୍ଶୀ ଥିଲା ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି।