ନକଲି ମଦ ପ୍ରସ୍ତୁତ କାରଖାନାରେ ଚଢ଼ାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୧ା୪: ଅବକାରୀ ଗୁଇନ୍ଦା ଟିମ୍‌ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ଛକରେ ପାଟ୍ରୋଲିଂ କରୁଥିଲା। ଏକ ଅଟୋକୁ ଅଟକାଇ ଯାଞ୍ଚ ବେଳେ ସେଥିରେ ବିଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଅଧିକ ଯାଞ୍ଚ ପରେ ଉକ୍ତ ବିଦେଶୀ ମଦ ନକଲି ହୋଇଥିବା ବେଳେ ଅଟୋ ଚାଳକ ତଥା ମାଲିକ ସରୋଜ କୁମାର ପଣ୍ଡା(୩୬) ନିଜ ଘରେ ଫ୍ୟାକ୍ଟ୍ରି କରି ତାହା ପ୍ରସ୍ତୁତ କରୁଥିବା ଜଣାପଡ଼ିଥିଲା। ସରୋଜଙ୍କ ବୟାନକୁ ଆଧାର କରି ଟିମ୍‌ ତାଙ୍କ ଘର ତଥା ଫ୍ୟାକ୍ଟ୍ରି କେ.ନୂଆଗାଁ ଥାନା ଅନ୍ତର୍ଗତ ଖମ୍ବାରିଗାଁରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, କଞ୍ଚାମାଲ ଇତ୍ୟାଦି ଜବତ କରିଥିଲା। ଉକ୍ତ ଫ୍ୟାକ୍ଟ୍ରିରୁ ୪୩୨ଟି ନକଲି ବିଦେଶୀ ମଦ ବୋତଲ, ୩୫ ଲିଟର ହୋମିଓପାଥିକ ସ୍ପିରିଟ୍‌, ୧୭୦୪ ଅବକାରୀ ଏ ଲେବଲ, ୧୬ ଶହ କର୍କ, ଖାଲି ବୋତଲ, ପ୍ୟାକିଂ ମେଶିନ ଇତ୍ୟାଦି ଜବତ ହୋଇଛି। ସରୋଜ ତାଙ୍କ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ବିକ୍ରି କରୁଥିଲେ ବୋଲି ଜେରା ବେଳେ ଟିମ୍‌ ଜାଣିବାକୁ ପାଇଛି। ସେହିପରି ସରୋଜ ଭୟଙ୍କର କରୋନା ମହାମାରୀ ସମୟରେ ବ୍ରହ୍ମପୁର ଓମ୍‌ ନଗରରେ ମଧ୍ୟ ଏକ ଘର ଭଡ଼ା ନେଇ ସେଠାରେ ସେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ଜବତ ନକଲି ବିଦେଶୀ ମଦ ଓ ଅଟୋର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଘଟଣାର ତଦନ୍ତ ଜାରି ରହିଛି ବୋଲି ଟିମ୍‌ ପକ୍ଷରୁ ସୂଚନା ମିଳିଛି। ସରୋଜଙ୍କୁ କେସ୍‌ ନଂ ୧୦୫୬/୨୨-୨୩ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଗୁଇନ୍ଦା ଡେପୁଟି ସୁପରିଟେଣ୍ଡେଣ୍ଟ କୁବେର ସେଠୀ ସୂଚନା ଦେଇଛନ୍ତି। ଚଢ଼ାଉରେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ , ଏଏସ୍‌ଆଇ ବସନ୍ତ କୁମାର ବାରିକ, ରଶ୍ମୀରଞ୍ଜନ ନାୟକ, କନଷ୍ଟେବଳ ପ୍ରବୀର ସାମଲ ପ୍ରମୁଖ ସାମିଲ ଥିଲେ।