Categories: ବାଣିଜ୍ୟ

ଏଲ୍‌ଆଇସିରେ ବିଦେଶୀ ନିବେଶ ୨୦% ରହିପାରେ

ନୂଆଦିଲ୍ଲୀ,୯।୯: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ)ଙ୍କ ନିବେଶ ପ୍ରାୟ ୨୦% ରହିପାରେ। ଏହି ପ୍ରସଙ୍ଗ ଉପରେ ସରକାର ବର୍ତ୍ତମାନ ବିଚାର କରୁଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ବୁଧବାର କହିଛନ୍ତି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ନିୟମ ମୁତାବକ, ବିଦେଶର ସଂସ୍ଥାଗତ ନିବେଶକମାନେ ଇନିସିଆଲ ପବ୍ଲିକ ଅଫର(ଆଇପିଓ)ରେ ଶେୟାର କ୍ରୟ କରିପାରିବେ। ମାତ୍ର ବିଦେଶୀ ନିବେଶ ନେଇ ଏଲ୍‌ଆଇସି ଆଇନରେ କୌଣସି ସୁବିଧା ରଖାଯାଇନାହିଁ। ଏଣୁ ଏହି ପ୍ରସ୍ତାବକୁ ବିଚାର କରିବାକୁ ହେଲେ ଏଲ୍‌ଆଇସି ଆଇନ ଏବଂ ସେବି ନିୟମ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ହେବ। ଏଲ୍‌ଆଇସି ଆଇପିଓ ଉପରେ କାର୍ଯ୍ୟ କରିବା ଲାଗି ସରକାର ୧୦ ମର୍ଚ୍ଚାଣ୍ଟ ବ୍ୟାଙ୍କର ନିଯୁକ୍ତ କରିଛନ୍ତି। ଗୋଲ୍ଡମ୍ୟାନ ସ୍ୟାଚ୍‌ ଇଣ୍ଡିଆ ସିକ୍ୟୁରିଟି ସମେତ ସିଟି ଗ୍ରୁପ୍‌ ଗ୍ଲୋବାଲ ମାର୍କେଟ ଇଣ୍ଡିଆ, ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ ସିକ୍ୟୁରିଟି ଇଣ୍ଡିଆ ଭଳି କମ୍ପାନୀ ଏହି କ୍ରମରେ ସାମିଲ ହୋଇଛନ୍ତି। ଏହି ରାଷ୍ଟ୍ରାୟତ୍ତ ଜୀବନ ବୀମା କମ୍ପାନୀରୁ ଅଂଶଧନ ବିକ୍ରି ସରକାର ପ୍ରାୟ ୯୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛନ୍ତି।

Share