ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ ୭୪୦.୮୦୩ ବିଲିୟନ ଡଲାର ଛୁଇଁଛି; ଯାହାକି ଏକ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ବୋଲି ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଏହା ପୂର୍ବ ସପ୍ତାହରେ ଭଣ୍ଡାର ପାଣ୍ଠି ୧୨.୪୨୨ ବିଲିୟନ ଡଲାର ବୃଦ୍ଧି ପାଇ ୭୨୯.୩୨୮ ବିଲିୟନ ଡଲାରରେ ପହଞ୍ଚିଥିଲା, ଯାହା ସେତେବେଳେ ମଧ୍ୟ ଏକ ରେକର୍ଡ ସ୍ତର ଅତିକ୍ରମ କରିଥିଲା। ମଧ୍ୟପ୍ରାଚ୍ୟ ସଂଘର୍ଷ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଫେବୃଆରୀ ୨୭ରେ ଶେଷ ହୋଇଥିବା ସପ୍ତାହରେ ପୂର୍ବର ସର୍ବକାଳୀନ ରେକର୍ଡ ସ୍ତର ୭୨୮.୪୯୪ ବିଲିୟନ ଡଲାର ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବୈଦେଶିକ ମୁଦ୍ରାଭଣ୍ଡାର ସ୍ଥିତିରେ କିଛିଟା ଅବନତି ଦେଖାଯାଇଥିଲା। ଭୂ-ରାଜନୈତିକ ଉତ୍ତେଜନା ହେତୁ କ୍ରମାଗତ ଭାବେ କେତେକ ସପ୍ତାହ ଧରି ଏଥିରେ ହ୍ରାସ ଘଟିଥିଲା। କାରଣ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରଖିବା ପାଇଁ ଆର୍‌ବିଆଇକୁ ଡଲାର ବିକ୍ରି ମାଧ୍ୟମରେ ବୈଦେଶିକ ମୁଦ୍ରା ବାଜରରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ତେବେ ଗତ ଜୁନ୍‌ରେ ଆର୍‌ବିଆଇ ରିହାତି ବୈଦେଶିକ ମୁଦ୍ରା ସ୍ବାପ୍‌ ବ୍ୟବସ୍ଥା ଘୋଷଣା କରିବା ପରଠାରୁ ବୈଦେଶିକ ମୁଦ୍ରାଭଣ୍ଡାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପଦକ୍ଷେପ ଯୋଗୁ ୧୩୨ ବିଲିୟନ ଡଲାରରୁ ଅଧିକ ନୂତନ ପୁଞ୍ଜି ପ୍ରବାହ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କର ସୂଚନା ଅନୁଯାୟୀ, ଅଗଷ୍ଟ ୨୮ରେ ଶେଷ ହୋଇଥିବା ସପ୍ତାହରେ ଭଣ୍ଡାରର ଏକ ପ୍ରମୁଖ ଅଂଶ ଭାବେ ବୈଦେଶିକ ମୁଦ୍ରା ସମ୍ପତ୍ତିରେ ୯.୩୩୭ ବିଲିୟନ ଡଲାର ବୃଦ୍ଧି ପାଇ ଏହାର ମୋଟ ମୂଲ୍ୟ ୬୦୦.୬୭ ବିଲିୟନ ଡଲାରରେ ପହଞ୍ଚିଛି।

Odisha’s No.1 Odia Daily

Share