Categories: ଜାତୀୟ

‘ଛାଡ଼ପତ୍ର ପରେ ଏକାଠି ରହିବାକୁ ବାଧ୍ୟ କରିବା କ୍ରୂରତା’

ନୂଆଦିଲ୍ଲୀ,୩୦।୮: ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ରହୁଥିବା ସ୍ତ୍ରୀ ଓ ସ୍ବାମୀଙ୍କୁ ପୁନର୍ବାର ଦାମ୍ପତ୍ୟ ଜୀବନ ବିତାଇବା ପାଇଁ ଏକାଠି କରିବା ଉଭୟ ପକ୍ଷଙ୍କ ପ୍ରତି କ୍ରୂରତାପୂର୍ଣ୍ଣ ଆଚରଣ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ ଏବଂ ସୁଧାଂଶୁ ଢ଼ୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବିଧାନର ଅନୁଚ୍ଛେଦ ୧୪୨ ବଳରେ କ୍ଷମତା ଉପଯୋଗ କରି ଏକ ବିବାହକୁ ଭଙ୍ଗ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଲଗାତର ଭାବେ ମନୋମାଳିନ୍ୟ ଲାଗି ରହିବା ଯୋଗୁ ସ୍ତ୍ରୀ ଓ ସ୍ବାମୀ ଦୀର୍ଘଦିନ ଧରି ଅଲଗା ବସବାସ କରିବାକୁ ‘ପୂର୍ବାବସ୍ଥାକୁ ଫେରୁ ନ ଥିବା ବିବାହ ବିଚ୍ଛେଦ’ କୁହାଯାଇପାରିବ।
କଥିତ ମାମଲାରେ ଛାଡ଼ପତ୍ରର ୧୨ବର୍ଷ ପରେ ହିନ୍ଦୁ ବିବାହ ଆଇନ ୧୯୫୫ର ଧାରା ୯ ବଳରେ ସ୍ବାମୀ ଏକାଠି ହେବା ପାଇଁ ୨୦୧୨ ନଭେମ୍ବର ୯ରେ ଦାଖଲ କରିଥିବା ଆବେଦନକୁ ୨୦୧୩ ଅଗଷ୍ଟ ୨୯ରେ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହାପରେ ହାଇକୋର୍ଟରେ ନିରାଶ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣ୍ଡପୀଠ ଏହାର ବିଚାରକରି ବିବାହକୁ ଭଙ୍ଗ ଘୋଷଣା କରିଛନ୍ତି। ଏଥିସହ ଆବେଦନକାରୀ ସ୍ବାମୀଙ୍କୁ ତାଙ୍କ ଝିଅର ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share