ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ

ସୋରଡା,୨ା୫(ଡି.ଏନ୍‌.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ ଯାଇଛି। ରଥ ଲାଗି ପ୍ରଥମ ଥର ପୁରୀକୁ କାଠ ଯାଉଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସୋମବାର ସକାଳେ ଗାଜଲବାଡି ପଞ୍ଚାୟତ କର୍ଯ୍ୟାଳୟ ନିକଟରେ ଗ୍ରାମବାସୀ ପୂଜାର୍ଚ୍ଚନା କରି କାଠଗାଡିକୁ ଛାଡିଥିଲେ। ବାଟରେ ଖଜୁରିପଲ୍ଲୀ, ନାହାଗଣ୍ଡା, ଅସୁରବନ୍ଧରେ ମଧ୍ୟ ଗ୍ରାମବାସୀ ଉକ୍ତ ଗାଡିକୁ ପୂଜା କରିଥିଲେ। ଗାଡି ୨ଟି ସୋରଡା ଆସିବା ପରେ ବରାଡିଠାରେ ବିଭିନ୍ନ ଗ୍ରାମର କୀର୍ତ୍ତନ ଦଳ ତାହାକୁ ଏନ୍‌ଏନ୍‌ ରୋଡ, ଗଣି ଛକ, ବସଷ୍ଟାଣ୍ଡ, ବଜାର, ରଥାପଦା, ବଡଦାଣ୍ଡ, ଆଡପମଣ୍ଡପ ପର୍ଯ୍ୟନ୍ତ ନେଇଥିଲେ।

ବିଭିନ୍ନ ସ୍ଥାନରେ ମହିଳାମାନେ ପୂଜାର୍ଚ୍ଚନା କରିବା ସହ ରଥକାଠ ଉପରେ ନୂତନ ବସ୍ତ୍ର ପକାଇଥିଲେ। ପ୍ରାୟ ୩ଘଣ୍ଟା ବିଭିନ୍ନ ବାଦ୍ୟରେ ସହର ପ୍ରକମ୍ପିତ ହୋଇଥିଲା। ଜଗନ୍ନାଥ ମନ୍ଦିର ନିକଟରେ ପରିଚାଳନା କମିଟି ତରଫରୁ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଣିଛକ ଠାରେ ମୁସଲିମ ସମାଜ ତରଫରୁ ଶୋଭାଯାତ୍ରାକୁ ସ୍ବାଗତ କରଯାଇଥିଲା। ସେହିପରି ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର, ବି. ସୀମାଞ୍ଚଳ ମଣ୍ଡଳ, ତହସିଲଦାର ପ୍ରଫୁଲ ଡାକୁଆ ଉପସ୍ଥିତ ରହିଥିଲେ। ଆଇଆଇସି ରମେଶ କୁମାର ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ବରିଷ୍ଠ ନାଗରିକ ଭଗବାନ ପଣ୍ଡାଙ୍କ ସମେତ ଶତାଧିକ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥଲେ। ସେହିପରି କରଡାବା, ତତାବାଲି, ସୁରମଣି, ନୂଆଗଡ, ବମୁନଦେଇରେ ମଧ୍ୟ ରଥକାଠକୁ ପୂଜା କରାଯାଇଥିଲା। ପରେ ଟ୍ରକ ୨ଟି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।