Categories: ଜାତୀୟ

ଇତିହାସରେ ପ୍ରଥମଥର ୪୦୦ରୁ କମ୍‌ ଆସନରେ ଲୋକ ସଭା ନିର୍ବାଚନ ଲଢୁଛି କଂଗ୍ରେସ

ନୂଆଦିଲ୍ଲୀ,୧୫।୪: ଦୀର୍ଘ ସମୟ ଧରି କ୍ଷମତାରେ ରହିଆସିଥିବା ତଥା ଦେଶର ସର୍ବ ପୁରାତନ ଦଳ ହୋଇଥିବା କଂଗ୍ରେସ ଏହାର ନିର୍ବାଚନ ଇତିହାସରେ ସର୍ବନିମ୍ନ ସଂଖ୍ୟକ ଆସନରେ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୧୪ ଲୋକ ସଭା ନିର୍ବାଚନରେ ନିର୍ବାଚନ ଇତିହାସରେ ସର୍ବନିମ୍ନତମ କେବଳ ୪୪ ଜଣ ଏମପିଙ୍କୁ ଲୋକ ସଭାକୁ ପଠାଇଥିବା କଂଗ୍ରେସ ଦଳ ୨୦୨୪ ଲୋକ ସଭା ନିର୍ବାଚନରେ ୩୫୦ରୁ କମ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।
କଂଗ୍ରେସ ଏପର୍ଯ୍ୟନ୍ତ ୨୬୬ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସହ ଜଡିତ ସୂତ୍ର ଅନୁଯାୟୀ ଏହି ଲୋକ ସଭା ନିର୍ବାଚନରେ ଦଳ ମୋଟ ୩୩୦ ରୁ ୩୪୦ଟି ଆସନରେ ପ୍ରାର୍ଥୀ ଦେବ। ଯଦି ଏହା ଘଟେ, ତେବେ ପ୍ରଥମ ଥର ପାଇଁ କଂଗ୍ରେସ ୪୦୦ ରୁ କମ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।
୧୯୫୧-୫୨ରେ ପ୍ରଥମ ଲୋକ ସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ବର୍ଷ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ୧୭ ଲୋକ ସଭା ନିର୍ବାଚନରେ କଂଗ୍ରେସ ୪୦୦ରୁ କମ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲା। ୨୦୦୪ ରେ ସର୍ବନିମ୍ନ ସଂଖ୍ୟକ ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ଯେତେବେଳେ ଦଳ ମୋଟ ୪୧୭ ଲୋକ ସଭା ଆସନରେ ପ୍ରାର୍ଥୀ ଦେଇଥିଲା। ଏହା ପରେ ଦଳ ୨୦୦୯ଲୋକ ସଭା ନିର୍ବାଚନରେ ୪୪୦ ପ୍ରାର୍ଥୀ, ୨୦୧୪ ଲୋକ ସଭା ନିର୍ବାଚନରେ ୪୬୩ ପ୍ରାର୍ଥୀ ଏବଂ ୨୦୧୯ ଲୋକ ସଭା ନିର୍ବାଚନରେ ୪୨୧ ଜଣ ପ୍ରାର୍ଥୀ ପ୍ରଦାନ କରିଥିଲେ।
ଗତ ୧୭ ଟି ଲୋକ ସଭା ନିର୍ବାଚନରେ କଂଗ୍ରେସ ୧୯୯୬ ଲୋକ ସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ଦେଇଥିଲା, ଯେତେବେଳେ କଂଗ୍ରେସ ୫୨୯ଜଣ ପ୍ରାର୍ଥୀ ଦେଇଥିଲା।

Share