Categories: ଖେଳ

୪୬ ବର୍ଷରେ ପ୍ରଥମ ଥର ପାଇଁ ୧୧୭ ଦିନ ବନ୍ଦ ରହିଲା କ୍ରିକେଟ୍‌

ଲଣ୍ଡନ, ୭।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ବୁଧବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଛି। ମହାମାରୀ କରୋନା ଲାଗି ୪ ମାସ ପାଖାପାଖି ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିଲା। ଫଳରେ ଦୀର୍ଘ ୧୧୭ ଦିନର ବ୍ୟବଧାନ ପରେ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି। ସୀମିତ ଓଭର କ୍ରିକେଟ୍‌ ଆରମ୍ଭ ହେବାର ଦୀର୍ଘ ୪୬ ବର୍ଷ ପରେ ଏହା ପ୍ରଥମ ଘଟଣା ହେବ ଯେତେବେଳେ କି ଅନ୍ତର୍ଜାତୀୟ କ୍ରିକେଟ୍‌ ୧୦୦ କିମ୍ବା ଏହାଠାରୁ ଅଧିକ ଦିନ ବନ୍ଦ ହୋଇରହିଛି। ମହାମାରୀ କରୋନା ଭାଇରସ ଲାଗି ଗତ ମାର୍ଚ୍ଚ ୧୫ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇନାହିଁ। ଶେଷଥର ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୧୫ରେ ସିଡ୍‌ନୀରେ ଏକ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା।
୧୧୯୭୨ରେ ୧୧୪ ଦିନ ଏବଂ ୧୯୭୩ରେ ୧୧୩ ଦିନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ବନ୍ଦ ରହିଥିଲା। ସେହିଭଳି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୬ ବର୍ଷ ୯ ମାସ ୨୦ ଦିନ ଅର୍ଥାତ୍‌ ୨୪୮୫ ଦିନ ପର୍ଯ୍ୟନ୍ତ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ନ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ୨୪୧୪ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇ ନ ଥିଲା। ଦୁଇଟି ବିଶ୍ୱଯୁଦ୍ଧକୁ ଛାଡ଼ି ଦେଲେ ଆଉ ଏକ ଯୁଦ୍ଧ ପାଇଁ ମଧ୍ୟ କ୍ରିକେଟ୍‌ ବନ୍ଦ ରହିଥିଲା। ୧୪ ଅଗଷ୍ଟ ୧୮୯୯ ମସିହାରୁ ୧୩ ଡିସେମ୍ବର ୧୯୦୧ ପର୍ଯ୍ୟନ୍ତ ଅର୍ଥାତ ୮୫୧ ଦିନ କୌଣସି କ୍ରିକେଟ୍‌ ଖେଳ ସମ୍ଭବପର ହୋଇ ନ ଥିଲା। ସେତେବେଳେ ଦକ୍ଷିଣ ଆଫ୍ରିକାରେ ଯୁଦ୍ଧ ଚାଲିଥିବାରୁ ସେଠାରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ ବାତିଲ କରାଯାଇଥିଲା।

Share