Categories: ଖେଳ

ସଚିନ-ସେହ୍ବାଗ, ଡ୍ରାଭିଡ୍‌ଙ୍କ ଲାଗି ସୁଯୋଗ ପାଇ ନ ଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୯।୭- ସୁବ୍ରମଣିୟମ ବଦ୍ରିନାଥ। ଭାରତୀୟ ଘରୋଇ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ଜଣେ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତାମିଲନାଡ଼ୁର ଏହି କ୍ରିକେଟର୍‌ ଅନ୍ତର୍ଜାତୀୟସ୍ତରରେ କିନ୍ତୁ ପ୍ରଦର୍ଶନର ଛାପ ଛାଡ଼ିବାରେ ସେତେଟା ସଫଳ ହୋଇପାରି ନ ଥିଲେ। ସେ ୭ଟି ଦିନିକିଆ, ୨ଟି ଟେଷ୍ଟ ଓ ଗୋଟିଏ ଟି୨୦କୁ ମିଶାଇ ମୋଟ୍‌ ୧୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ। ଘରୋଇ କ୍ରିକେଟ୍‌ରେ ତାଙ୍କ ସଫଳତାର ଲମ୍ବା ତାଲିକାର ରହିଥିଲେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ସେ ଭାଗ୍ୟବାନ ନ ଥିଲେ। ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍‌କାର ଅବସରରେ ୩୯ ବର୍ଷୀୟ ବଦ୍ରିନାଥ ଏହାର କାରଣ ଉଲ୍ଲେଖ କରିଛନ୍ତି। ବଦ୍ରିନାଥଙ୍କ କହିବାନୁଯାୟୀ, ଦଳରେ ସ୍ଥାନ ପାଇବା ଲାଗି ସେ ସବୁକିଛି କରିଥିଲେ। କିନ୍ତୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ରାହୁଲ ଡ୍ରାଭିଡ୍‌ ଓ ଯୁବରାଜ ସିଂଙ୍କ ଭଳି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦଳରେ ଥିବାରୁ ସେ ସୁଯୋଗ ପାଇପାରି ନ ଥିଲେ। ‘ବ୍ୟାଟିଂ ସହିତ ମୋତେ ବୋଲିଂ ଉପରେ ଧ୍ୟାନ ଦେବାର ଥିଲା। ଯଦି ଏହା ମୁଁ କରିପାରିଥାନ୍ତି ତେବେ ଟିମ୍‌ ଇଣ୍ଡିଆ ପାଇଁ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥାନ୍ତି। ସେହିଭଳି ମୁଁ ଜଣେ ଭଲ ସ୍ପିନର ଥିଲି ଏବଂ କିଛି ଉଇକେଟ୍‌ ମଧ୍ୟ ଅକ୍ତିଆର କରିଥିଲି। ସେହି ସମୟରେ ସହାୟତା ଲାଗି ମୋ ପାଖରେ କେହି ନ ଥିଲେ। ମୁଁ ବ୍ୟାଟିଂ ସହିତ ବୋଲିଂ ଉପରେ ମଧ୍ୟ ଧ୍ୟାନ ଦେଇ ଜଣେ ଅଲ୍‌ରାଉଣ୍ଡର ଭାବେ ସ୍ଥାନ ପୂରଣ କରିପାରିଥାନ୍ତି। ଯଦି ବ୍ୟାଟିଂ କଥା କୁହାଯିବ ତେବେ ମୁଁ ଆଉ ଅଧିକ କିଛି କରିପାରି ନ ଥାନ୍ତି। ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି’ ବୋଲି ବଦ୍ରିନାଥ ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୨ଟି ଟେଷ୍ଟ, ୭ ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୬୩, ୭୯, ୪୩ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ବଦ୍ରିନାଥ ୧୪୫ଟି ପ୍ରଥମ ଶ୍ରେଣୀ ଓ ୧୪୪ ଲିଷ୍ଟ-ଏ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୦,୨୫୪ ଓ ୪୧୬୪ ରନ କରିଛନ୍ତି।

Share