ପାରିଶ୍ରମିକ ପାଇଁ..

ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର ଅନ୍ୟତମ ଆଗଧାଡିର ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କୁ ନେଇ ଚର୍ଚ୍ଚା। ପୁଣି କାରଣ କ’ଣ ଜାଣନ୍ତି ? ନିକଟରେ ସେ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ଏକ ଅନ୍‌ଟାଇଟଲ୍‌ଡ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଥିଲା। କାହାଣୀ ଏବଂ ଏଥିରେ ନିଜ ଭୂମିକା ସମ୍ପର୍କରେ ଭଲ ଭାବରେ ଅବଗତ ହେବା ପରେ ପାରିଶ୍ରମିକ ନିକଟରେ କଥା ଅଟକି ଯାଇଥିଲା। ଏହି ଫିଲ୍ମ ପାଇଁ ସେ କୁଆଡେ ଯେଉଁ ରେମ୍ୟୁନିନେଶନ ଦାବି କଲେ ତାହା ଶୁଣି ନୂଆ ପ୍ରଯୋଜକଙ୍କ ଅକଲ ଗୁଡୁମ। ଏପରି କଥା ଶୁଣିବା ପରେ ସେ ପାରିଶ୍ରମିକକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ଅନୁଷ୍କାଙ୍କୁ କହିଥିଲେ। ହେଲେ ନିଜ କଥାରେ ଅଟଳ ରହିଥିଲେ ଏହି ଅଭିନେତ୍ରୀ। ଶେଷକୁ ପ୍ରଯୋଜକ ନିରାଶ ହୋଇ ଫେରିଥିଲେ। ନିକଟରେ ଏ ନେଇ ମୁହଁ ଖୋଲିଛନ୍ତି ଅନୁଷ୍କା। ପାରିଶ୍ରମିକ ବିଷୟରେ ସଫେଇ ଦେଇ ସେ କହନ୍ତି, ‘ଏସବୁ ମିଛ କଥା। ଏହି ନୂଆ ଫିଲ୍ମ ପାଇଁ ମୁଁ ଆଦୌ ପାରିଶ୍ରମିକ ବଢ଼ାଇ ନାହିଁ। ଏହାର କାହାଣୀରେ କିଛି ପରିବର୍ତ୍ତନ କରିବାକୁ ମୁଁ ପରାମର୍ଶ ଦେଇଥିଲି। ପ୍ରଯୋଜକ ସେ ନେଇ ଦୁଇ ସପ୍ତାହ ଭିତରେ ଫାଇନାଲ କରିବାକୁ କଥା ଦେଇଛନ୍ତି। ମୋତେ ବଦନାମ କରିବାକୁ କେହି ବୋଧହୁଏ ଏପରି ଗୁଜବ ସୃଷ୍ଟି କରିଛି।’ ତେବେ ଏକଥା ପଛରେ କେତେ ସତ୍ୟତା ଅଛି ତାହା କେବଳ ଅନୁଷ୍କାଙ୍କୁ ହିଁ ଜଣା।

Share