ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା (Additional Declaration)କୁ ECINET ପୋର୍ଟାଲରୁ ହଟାଇ ଦେଇଛନ୍ତି। ଆୟୋଗଙ୍କ ୨୬ ସେପ୍ଟେମ୍ୱର ୨୦୨୬ର ସ୍ପଷ୍ଟୀକରଣ ପରେ ଏହି ପରିବର୍ତ୍ତନ କରାଯାଇଛି। ଅର୍ଥାତ ନୂଆ ଭୋଟରମାନଙ୍କ ପାଇଁ ଏବେ ଆବେଦନ ପ୍ରକ୍ରିୟା ସହଜ ହୋଇଯାଇଛି।
ନୂଆ ଭୋଟର ପରିଚୟ ପତ୍ର (Voter ID) ତିଆରି କରିବା କିମ୍ୱା ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା ପାଇଁ ଫର୍ମ-୬ ପୂରଣ କରାଯାଇଥାଏ। ନିକଟରେ ଏହି ଫର୍ମକୁ ନେଇ ସେତେବେଳେ ବିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ର୍ନିବାଚନ ଆୟୋଗଙ୍କ ECINET ପୋର୍ଟାଲରେ ଏହା ସହିତ SIR ସମ୍ୱନ୍ଧୀୟ ଏକ ଅତିରିକ୍ତ ଘୋଷଣାନାମା (Annexure-D) ଦେଖାଯିବାକୁ ଲାଗିଲା। ବର୍ତ୍ତମାନ ଆୟୋଗ ସେହିସବୁ ରାଜ୍ୟରୁ ଏହି ଅତିରିକ୍ତ ଅଂଶକୁ ହଟାଇ ଦେଇଛନ୍ତି, ଯେଉଁଠାରେ SIR ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି।
ନିର୍ୱାଚନ ଆୟୋଗ ୨୬ ସେପ୍ଟେମ୍ୱର ୨୦୨୬ରେ କହିଥିଲେ ଯେ, SIR ମଧ୍ୟବର୍ତ୍ତୀ ସମୟ ଅର୍ଥାତ ଅଣ-SIR (Non-SIR) ସମୟରେ ଭୋଟର ପଞ୍ଜୀକରଣ ପାଇଁ ‘ଭୋଟର ପଞ୍ଜୀକରଣ ନିୟମ, ୧୯୬୦’ ଅଧୀନରେ ଧାର୍ଯ୍ୟ କରାଯାଇଥିବା ସାଧାରଣ ଫର୍ମ ବ୍ୟବହାର କରାଯିବ। ଏହା ପରେ SIR ଶେଷ ହୋଇଥିବା ରାଜ୍ୟଗୁଡ଼ିକରେ ECINET ପୋର୍ଟାଲରେ ଫର୍ମ-୬କୁ ସେହି ବ୍ୟବସ୍ଥା ଅନୁଯାୟୀ ଅପଡେଟ କରାଯାଇଛି।
ନୂତନ ଭୋଟରମାନଙ୍କ ପଞ୍ଜୀକରଣ ପାଇଁ ଫର୍ମ-୬ ବ୍ୟବହାର କରାଯାଏ। ଯଦି କୌଣସି ଭାରତୀୟ ନାଗରିକ ପ୍ରଥମ ଥର ପାଇଁ ଭୋଟର ଭାବେ ନିଜ ନାମ ପଞ୍ଜୀକରଣ କରିବାକୁ ଚାହାନ୍ତି, ତେବେ ତାଙ୍କୁ ଏହି ଫର୍ମ ପୂରଣ କରିବାକୁ ହୋଇଥାଏ। ଏହାକୁ ଅନଲାଇନ କିମ୍ୱା ଅଫଲାଇନ ଉଭୟ ଉପାୟରେ ପୂରଣ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ କିଛି ଜରୁରୀ ଦସ୍ତାବିଜ (ପ୍ରମାଣପତ୍ର) ଦାଖଲ କରିବାକୁ ପଡ଼ିଥାଏ।
SIR ସମୟରେ ଫର୍ମ-୬ ସହିତ ଏକ ପୃଥକ ଘୋଷଣାନାମା ଯୋଡ଼ା ଯାଇଥିଲା। ଏଥିରେ ଆବେଦନକାରୀଙ୍କୁ ପୁରୁଣା ଭୋଟର ରେକର୍ଡ ସମ୍ପର୍କିତ ସୂଚନା ଦେବାକୁ ପଡ଼ୁଥିଲା। ଏଥିରେ ଆବେଦନକାରୀଙ୍କ ଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଗାଯାଉଥିଲା, ଯେପରିକି
* ପୂର୍ୱ SIR ସମୟର ଚୂଡ଼ାନ୍ତ ଭୋଟର ତାଲିକାରେ ତାଙ୍କ ନାମ ଥିଲା କି?
* ଯଦି ତାଙ୍କ ନାମ ନଥିଲା, ତେବେ ତାଙ୍କ ବାପା-ମାଆ କିମ୍ୱା ଜେଜେବାପା-ଜେଜେମାଆଙ୍କ ନାମ ସେହି ତାଲିକାରେ ଥିଲା କି?
* ଯଦି ଏମାନଙ୍କ ମଧ୍ୟରୁ କାହାରି ନାମ ନଥିଲା, ତେବେ ଆବେଦନକାରୀଙ୍କୁ ତୃତୀୟ ବିକଳ୍ପ ବାଛିବାକୁ ପଡ଼ୁଥିଲା।
‘ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟ ଅନୁସାରେ, ୨ ଜଣ ନିର୍ୱାଚନ କମିଶନର ଏହି ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ ଫର୍ମ-୬ ଭୋଟର ପଞ୍ଜୀକରଣ ନିୟମାବଳୀ ଅଧୀନରେ ଧାର୍ଯ୍ୟ ଏକ ଆଇନଗତ (ବୈଧାନିକ) ଫର୍ମ। ଏଭଳି ସ୍ଥିତିରେ ସେଥିରେ କୌଣସି ଅତିରିକ୍ତ ଘୋଷଣାନାମା ଯୋଡ଼ିବା ପାଇଁ କେବଳ ପ୍ରଶାସନିକ ଆଦେଶ ବା ନିର୍ଦ୍ଦେଶାବଳୀ ଯଥେଷ୍ଟ ନୁହେଁ, ବରଂ ଏଥିପାଇଁ ଧାର୍ଯ୍ୟ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଅନଲାଇନ ଫର୍ମରେ ଏହି ଅତିରିକ୍ତ ଅଂଶ ’ବାଧ୍ୟତାମୂଳକ ନୁହେଁ’ (Non-Mandatory) ବୋଲି ଦର୍ଶାଯାଇଥିଲେ ମଧ୍ୟ ତାହା ପୂରଣ ନ କରି ଆବେଦନକୁ ଆଗକୁ ବଢ଼ାଇବାରେ ସମସ୍ୟା ସୃଷ୍ଟି ହେଉଥିଲା।