ଫିଟ୍‌ନେସ୍‌ ପାଇଁ

ବର୍ତ୍ତମାନ ମେଦବହୁଳତା ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରି ନିଜକୁ ଫିଟ୍‌ ରଖିବା ଲାଗି ଏକ୍ସରସାଇଜ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏକ୍ସରସାଇଜ୍‌ କରୁଥିଲେ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣି ରଖନ୍ତୁ ସେ ସମ୍ପର୍କରେ…
ସର୍ବପ୍ରଥମେ ଜୀବନଶୈଳୀ ବ୍ୟବସ୍ଥିତ କରନ୍ତୁ ଏବଂ ସନ୍ତୁଳିତ ଆହାର କରନ୍ତୁ। ଏହାଦ୍ୱାରା ଏକ୍ସରସାଇଜର ସୁଫଳ ପାଇପାରିବେ। ଯଦି ଆପଣ ଭାବୁଛନ୍ତି ଯେ, ଏଥିପାଇଁ ଜିମ୍‌ ଯିବା ନିହାତି ଜରୁରୀ ତେବେ ଏହା ଆପଣଙ୍କର ଭ୍ରାନ୍ତ ଧାରଣା, କାରଣ ଆପଣ ଘରେ ମଧ୍ୟ ଏକ୍ସରସାଇଜ୍‌ କରିପାରିବେ।
ପ୍ରତିଦିନ ଅତି କମ୍‌ରେ ୨୦-୪୫ ମିନିଟ୍‌ ଏକ୍ସରସାଇଜ କରନ୍ତୁ। ଅଧିକ ସମୟ ଚାଲିବାରେ ଦିଅନ୍ତୁ। ଘରେ ସମସ୍ତଙ୍କର ଟ୍ରେଡ଼୍‌ମିଲ୍‌ ନ ଥାଏ, ତେଣୁ ଛାତ ଉପରେ କିମ୍ବା ପାର୍କ ଆଦି ଅନ୍ୟ କୌଣସି ଖୋଲା ସ୍ଥାନରେ ଚାଲିପାରିବେ। ଆପାର୍ଟମେଣ୍ଟରେ ରହୁଥିଲେ ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ ଶରୀର ଫିଟ୍‌ ରହିବ।
ମନ ଇଛା କୌଣସି ଏକ୍ସରସାଇଜ୍‌ ନ କରି ଏକ୍ସପର୍ଟଙ୍କ ପରାମର୍ଶ ନେଇ କରିବା ଭଲ। ତେବେ ବର୍ତ୍ତମାନ ୟୁଟ୍ୟୁବ୍‌ରେ ଅନେକ ଫିଟ୍‌ନେସ୍‌ ଏକ୍ସପର୍ଟଙ୍କ ଭିଡ଼ିଓ ଆସୁଛି, ଯାହାକୁ ଦେଖି ଏକ୍ସରସାଇଜ କରି ପାରିବେ।
ଏଥିରେ କିଛି ସମୟ ଯୋଗ ଏବଂ ପ୍ରାଣାୟମ ଆଦିକୁ ସାମିଲ କଲେ ଅଧିକ ଉପକୃତ ହୋଇପାରିବେ।
ଆପଣ ଚାହିଁଲେ ୟୁଟ୍ୟୁବ୍‌ ଦେଖି ଏରୋବିକ୍ସ କିମ୍ବା ଜୁମ୍ବା ଭଳି ଡ୍ୟାନ୍ସ ଏକ୍ସରସାଇଜ୍‌ ବି କରିପାରିବେ।
ମନେ ରଖନ୍ତୁ, ପ୍ରଥମେ ପ୍ରଥମେ ଏକ୍ସରସାଇଜ୍‌ କରୁଥିଲେ ପତଳା ହେବା ନିଶାରେ ଏକାସଙ୍ଗେ ବହୁତ ଏକ୍ସରସାଇଜ୍‌ କରନ୍ତୁ ନାହିଁ, ଏହାଦ୍ୱାରା ଦେହ ଦରଜ ଭଳି ସମସ୍ୟା ଦେଖା ଦେଇପାରେ। ତେଣୁ ପ୍ରଥମେ ଅଳ୍ପ ସମୟ ଏକ୍ସରସାଇଜ୍‌ କରିବା ପରେ ଧିରେ ଧିରେ ଅଧିକ କରନ୍ତୁ। ଏହି ସମୟରେ ହାଲୁକା, ଆରମଦାୟକ ପୋଷାକ ଏବଂ ଜୋତା ପିନ୍ଧନ୍ତୁ।