ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା

ପାରାଦୀପ,୮।୩ (ସ୍ବ.ପ୍ର.): ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହାସତ୍ତ୍ୱେ ବି ଅନେକ ମହିଳା ହିଂସାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କେତେଜଣ ମହିଳା ସମାଜରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି। ସେଭଳି ଜଣେ ମହିଳା ହେଲେ ଜଗତ୍‌ସିଂହପୁର ଜିଲା ପାରାଦୀପ ନୂଆବଜାରସ୍ଥିତ ପ୍ରେମଲତା ବାରିକ(୫୮)। କୁଜଙ୍ଗ ବ୍ଲକର ମହିଳା ସ୍ବାସ୍ଥ୍ୟ ପରିଦର୍ଶିକାଭାବେ କାର୍ଯ୍ୟରତ ଏହି ମହିଳା ଜଣକ ଗୃହିଣୀ ହେବା ସହ ସାମାଜିକ କର୍ମୀ ଓ କବୟିତ୍ରୀ ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିିଛନ୍ତି। ଜାତିବାଦ ଓ ଅନ୍ଧବିଶ୍ୱାସ ବିରୋଧରେ ଅନବରତ ପ୍ରୟାସ ଜାରି ରଖିଛନ୍ତି। ଏବେ ସୁଦ୍ଧା ତାଙ୍କୁ ୫୦ରୁ ଊଦ୍ଧର୍‌ବ ସରକାରୀ ଓ ବେସରକାରୀ ପୁରସ୍କାର ମିଳିଛି। ଆସନ୍ତା ମେ ମାସରେ ତାଙ୍କୁ ସର୍ବଶ୍ରେଷ୍ଠ ସେବିକା ‘ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ୨୦୨୦’ ଆଓ୍ବାର୍ଡ ରାଷ୍ଟ୍ରପତିଙ୍କଠାରୁ ମିଳିବ। ଏନେଇ ସରକାରୀ ଚିଠି ତାଙ୍କୁ ମିଳିଛି। ପୂର୍ବରୁ ମିଳିଥିବା ପୁରସ୍କାର ମଧ୍ୟରେ ୧୯୯୭ରେ ‘ମଦର ଟେରେସା ଓ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଆଓ୍ବାର୍ଡ ଆଦି ଅନ୍ତର୍ଭୁକ୍ତ। ପ୍ରେମଲତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଦେଉଳିସାହିରେ। ସେ ଧର୍ମାନନ୍ଦ ବାରିକ ଓ ହେନାମଣିଙ୍କ ଝିଅ ହୋଇଥିବାବେଳେ ୧୯୮୦ରେ ମାଟ୍ରିକ ପାସ୍‌ କରିଥିଲେ। ସ୍ବାମୀ ଧ୍ରୁବଚରଣ ସାହୁ ଓ ୨ ସନ୍ତାନଙ୍କୁ ନେଇ ତାଙ୍କ ସଂସାର। ଚାକିରି ବ୍ୟତୀତ ଜଣେ କବୟିତ୍ରୀ ଭାବେ ବେଶ୍‌ ଜଣାଶୁଣା। ତାଙ୍କ ପ୍ରଥମ ବହି ଭକ୍ତି ପ୍ରେମାଞ୍ଜଳି ୧୯୯୨ରେ ପ୍ରକାଶ ପାଇଥିଲା। ଏବେ ସୁଦ୍ଧା ତାଙ୍କ ଦ୍ୱାରା ଲିଖିତ ୬ ଖଣ୍ଡ ବହି ପ୍ରକାଶ ପାଇସାରିଛି। ପ୍ରେମଲତା କୁହନ୍ତି, ସେ ପିଲାଦିନୁ ଜାତିପ୍ରଥା ସମ୍ପର୍କରେ କଠୋର ଥିଲେ। ଥରେ ଘରେ ୨ ଛୋଟ ପିଲାଙ୍କୁ ଛାଡି ଡ୍ୟୁଟିକୁ ଯାଇଥିଲା ବେଳେ ପୁଅର ଦୁର୍ଘଟଣା ଘଟିଥିଲା। ପଡ଼ୋଶୀ ଘରର ଜଣେ ଦଳିତ ମହିଳା ତାଙ୍କୁ ଉଦ୍ଧାର କରି ସେବା କରିଥିଲେ। ଆଉଥରେ ସେମିତି ପୁଅ ଦେହ ଖରାପ ହୋଇ କୋମାକୁ ଚାଲିଯାଇଥିଲା। ସେତେବେଳେ ମଧ୍ୟ ସମ୍ପୃକ୍ତ ମହିଳା ଜଣକ ବହୁ ସେବା କରିଥିଲେ। ଏହାପରଠାରୁ ଛୋଟ ଜାତି ପ୍ରତି ଥିବା ଖରାପ ଭାବନା ତାଙ୍କ ମନରୁ ଦୂରେଇ ଯାଇଥିଲା। ସେବେଠାରୁ ଜାତି, ଧର୍ମ ଭଳି କୁସଂସ୍କାର ବିରୋଧରେ ଲେଖା ଲେଖିବା ସହ ସମାଜସେବା ପାଇଁ ବ୍ରତୀ ହୋଇଥିଲେ। ମହାବାତ୍ୟା ସମୟରେ ବାଲିଝରା ବସ୍ତିର ଜଣେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ସେଠାରେ ଆଲୁଅ ନଥିବା ବେଳେ ଡିବିରି ଆଲୁଅରେ ସମ୍ପୃକ୍ତ ମହିଳାଙ୍କ ଡେଲିଭରି କରିବା ଘଟଣା ଏକ ବଡ଼ ଉପଲବ୍ଧି ବୋଲି ପ୍ରେମଲତା କୁହନ୍ତି। ମହିଳା ଦିବସ ବାର୍ତ୍ତା ପ୍ରସଙ୍ଗରେ କୁହନ୍ତି, ପ୍ରାୟତଃ ବୈବାହିକ ଜୀବନରେ ଅନେକେ ଅନ୍ଧବିଶ୍ୱାସ ପ୍ରଥା ଆପଣାଉଛନ୍ତି। ସେସବୁରୁ ଦୂରେଇ ରହି ଆଗକୁ ବଢ଼ିବା ଆବଶ୍ୟକ।