ମୋଚିଛକ-ଭଦ୍ରକାଳୀ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ଆରମ୍ଭ

ଭଦ୍ରକ ଅଫିସ,୨୧।୫ : ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜାର ରାସ୍ତା ନିର୍ମାଣ ପାଇଁ ବହୁ ବାଦବିବାଦ ପରେ ରବିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଉକ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହେବା ସହିତ ଜବରଦଖଲ ଯୋଗୁ ଅଣଓସାରିଆ ଥିଲା। ଏ ନେଇ ଯାତାୟତରେ ଅସୁବିଧା ସହ ବହୁ ସମୟରେ ଦୁର୍ଘଟଣା ଘଟୁଥିଲାl ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ, ଦାବି, ରାସ୍ତାରୋକ, ଧାରଣା ଦିଆଯିବା ପରେ ରାସ୍ତା ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇଥିଲା । ୩୦ ଫୁଟ ଓସାର ରାସ୍ତା ନିର୍ମାଣ ପାଇଁ ଜବରଦଖଲ ବାଧକ ସାଜିଥିଲା। ସର୍ବଦଳୀୟ ବୈଠକ ପରେ ଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଥିଲା । ହନିଫ ମାର୍କେଟରେ କେତେକ ଦୋକାନୀ ନିଜ ଆଡୁ ଦଖଲରୁ ହଟି ଯାଇଥିଲେ। ଦଖଲରୁ ହଟି ନ ଥିବା ଜାଗାରେ ପୋଲିସ ଫୋର୍ସ ମୁତୟନ କରାଯାଇ ଉଚ୍ଛେଦ ଆରମ୍ଭ କରାଯାଇଛି।