ମହାକାଳପଡ଼ା,୧୫ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପେଟଛେଲା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି।
ଉପସ୍ଥିତ ଅତିଥିମାନେ ବିର୍ସା ମୁଣ୍ଡାଙ୍କ ତୈଳଚିତ୍ର ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ସଭାରେ ବକ୍ତାମାନେ ମତ ପ୍ରକାଶ କରି କହିଥିଲେ ଯେ, ଆଦିବାସୀ ସଂଗ୍ରାମୀ ବୀର ଯୋଦ୍ଧା ବିର୍ସା ମୁଣ୍ଡାଙ୍କ ପ୍ରତିଟି ରକ୍ତବିନ୍ଦୁରେ ସ୍ବାଧୀନତାର ଝଲକ ଥିଲା। ବ୍ରିଟିଶ ଶାସନକୁ ବିରୋଧ କରି ଝାଡ଼ଖଣ୍ଡର ଉଲିହାତୁ ନିପଟ ମଫସଲ ଗାଁରେ ଜନ୍ମଗ୍ରହଣ କରିଥିବା ଏହି ବୀର ଯୋଦ୍ଧାଙ୍କ ଅବଦାନ ଦେଶ ପାଇଁ ଚିରସ୍ମରଣୀୟ। ଜେଲ୍ରେ ରହି ଶହୀଦ ହୋଇଥିବା ଏହି ମହାନ ଯୋଦ୍ଧା ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଜନ୍ମଦିବସକୁ ଦେଶର ପ୍ରତି କୋଣଅନୁକୋଣରେ ‘ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯାଉଛି। ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲର ଅଧିକାର ପାଇଁ ସେ ବ୍ରିଟିଶମାନଙ୍କ ବିରୋଧରେ ଲଢ଼େଇ କରି ଶହୀଦ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲା ଅତିରିକ୍ତ ମଙ୍ଗଳ ଅଧିକାରିଣୀ ରଶ୍ମି ମଞ୍ଜରୀ ପ୍ରଧାନ, ଏମ୍ପି ପ୍ରତିନିଧି ସରୋଜ କାନ୍ତ ସାହୁ, ବିଧାୟକ ପ୍ରତିନିଧି ରଞ୍ଜନ ଚୌଧୁରୀ, ଆଦିବାସୀ ବରିଷ୍ଠ ନେତା ଛୋଟରାୟ ମାଝୀ, ଇଞ୍ଜିନିୟର ଚନ୍ଦ୍ରକାନ୍ତ ସ୍ବାଇଁ, ସରପଞ୍ଚ ପ୍ରସନ୍ନ ବେହେରାଙ୍କ ସମେତ ବହୁ ବରିଷ୍ଠ ଆଦିବାସୀ ନେତା ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବ୍ଲକର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂ ଏବଂ ରାଜେନ୍ଦ୍ର କିସ୍କୁଙ୍କୁ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ମିଳିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା ଆଭାସୀ ମାଧ୍ୟମରେ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ଗ୍ରାମର ଆଦିବାସୀ ସମାଜର ଲୋକମାନେ ଏଥିରେ ସାମିଲ ହୋଇଥିଲେ। ବଳରାମ ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ ଦୀନବନ୍ଧୁ ମୁର୍ମୁ, ମଦନ ହାଁସଦା ପ୍ରମୁଖ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ତେବେ ଜିଲା ପ୍ରଶାସନ ପକ୍ଷରୁ ବ୍ଲକର ପାଣିଖିଆ ସାନ୍ତାଳୀ ସମାଜକୁ ଏହି ଜିଲାସ୍ତରୀୟ ଉତ୍ସବରେ ଅଣଦେଖା କରାଯାଇଥିବା ପାଣିଖିଆ ଗାଁର ଶିବ ଟୁଡୁ, ଗୁରୁଭା ହାଁସଦାଙ୍କ ସମେତ ବରିଷ୍ଠ ମୁରବୀମାନେ ଦୁଃଖ ପ୍ରକାଶ କରିଛନ୍ତି।