ଝାରପୋଖରିଆ,୨୯ା୧୧(ସୁଧୀର କୁମାର ମହାନ୍ତ)- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହ୍ଲାଦ ଅଗସ୍ତି କ୍ରୀଡ଼ା ଧ୍ବଜା ଉତ୍ତୋଳନ କରି ଏହି ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୟୂରଭଞ୍ଜ ଜିଲାର ୨୧ଟି ମହାବିଦ୍ୟାଳୟର ଫୁଟବଲ ଦଳ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ।
ସୀମାନ୍ତ ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ରେଫରୀ ଭାବେ ତନ୍ମୟ ମାରାଣ୍ଡି, ସୁଦାମ ମୁର୍ମୁ, କାଳିଦାସ ସୋରେନ, ମଙ୍ଗଳ ଟୁଡୁ, ଲାଲମୋହନ କିସ୍କୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସୀମାନ୍ତ ମହାବିଦ୍ୟାଳୟ ଦଳକୁ ପେନାଲଟି ସଟରେ ୧-୦ ଗୋଲରେ ହରାଇ ଉଦଳା ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିଲା।
ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ୨୧ଟି ମହାବିଦ୍ୟାଳୟ ମଧ୍ୟରୁ ୧୨ଟି ମହାବିଦ୍ୟାଳୟ ଦଳରୁ ୨୪ ଜଣଙ୍କୁ ଉତ୍ତମ କ୍ରୀଡ଼ାବିତ ଭାବେ ଚୟନ କରାଯାଇଥିଲା। ଏହି ଖେଳାଳିମାନଙ୍କୁ ନେଇ ଗଠିତ ଫୁଟବଲ ଦଳ ଆସନ୍ତା ଡିିସେମ୍ବର ୧୨ ତାରିଖରେ ହେବାକୁ ଥିବା ଷ୍ଟେଟଜୋନ ଆନ୍ତଃ ବିଶ୍ୱବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ ଖେଳିବା ନିମନ୍ତେ ପଶ୍ଚିମବଙ୍ଗର ନାଟିଆ ବିଶ୍ୱବିଦ୍ୟାଳୟକୁ ଯିବେ ବୋଲି ସୂଚନା ମିଳଛି।
ଉଦ୍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସଲର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କ୍ରୀଡା ଅଫିସର ପ୍ରଦୀପ୍ତ କିଶୋର ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହ୍ଲାଦ ଅଗସ୍ତି, ପ୍ରଶାସନିକ ଅଧିକାରୀ ଡ. ଅନିଲ କୁମାର ଝା, କ୍ରୀଡ଼ା କ୍ଲବ ଉପସଭାପତି ଡ. ପ୍ରୀତମ ପଣ୍ଡା, ବି.ବି ମହାବିଦ୍ୟାଳୟର ଅଧକ୍ଷ ଡ. ସତ୍ୟରଞ୍ଜନ ସାମଲ ପ୍ରମୁଖ ମଞ୍ଚାସୀନ ରହି ଚାମ୍ପିୟନ ଓ ରନର ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅଧ୍ୟାପିକା ଡ. ପ୍ରାଚୀପ୍ରଭା ପଢ଼ିଆରୀ ମଞ୍ଚ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକଙ୍କ ସହିତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।