ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ ବିଶେଷ ଭୂମିକା ବହନ କରେ। ଏଥିସହିତ ଏହି ଋତୁରେ ଜଳ ଉତ୍ସର ପ୍ରଦୂଷଣ ହେତୁ ବିଭିନ୍ନ ଜଳବାହିତ ରୋଗ ହେବାର ବିପଦ ବଢ଼ିଥାଏ। ମୁଖ୍ୟତଃ ବର୍ଷା ଋତୁରେ କଲେରା, ଟାଇଫଏଡ, ଝାଡ଼ାବାନ୍ତି, ଜଣ୍ଡିସ/ହେପାଟାଇଟିସ-ଏ, ଲେପ୍ଟୋସ୍ପାଇରୋସିସ ଏବଂ ପେଟଜନିତ ସମସ୍ୟା ବ୍ୟତୀତ ବିଭିନ୍ନ ଜଳବାହିତ ରୋଗର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଏ। ବାୟୁମଣ୍ଡଳ ସବୁବେଳେ ଆର୍ଦ୍ର ରହିବାରୁ ଜୀବାଣୁ, କବକ ଏବଂ କୀଟପତଙ୍ଗ ପାଇଁ ଏହି ଋତୁ ଏକ ଆଦର୍ଶ ପ୍ରଜନନ ଭୂମି ସୃଷ୍ଟି କରେ, ଯାହାଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୁଏ। ଦୂଷିତ ଜଳ ଉତ୍ସ, ଅନୁପଯୁକ୍ତ ସଂରକ୍ଷଣ ଏବଂ ପୁରୁଣା ସାମଗ୍ରୀ, ଖାଦ୍ୟ ବିଷାକ୍ତତା ଏବଂ ପାକସ୍ଥଳୀ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରେ। ଏହି ସମୟରେ ଖାଦ୍ୟ ପରିଚାଳନା ଏବଂ ଖାଦ୍ୟ ସୁରକ୍ଷା ନିୟମକୁ ଠିକ୍‌ ଭାବେ ପାଳନ କରିବା ଦରକାର। ତା’ସହ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବା ନିତାନ୍ତ ଜରୁରୀ, ଯାହାଦ୍ୱାରା ବର୍ଷାଦିନିଆ ରୋଗର ଆଶଙ୍କାକୁ କେତେକାଂଶରେ ଦୂରେଇ ଦେଇ ହେବ। ବର୍ଷା ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଏବଂ ପାଚନ କ୍ରିୟାକୁ ସକ୍ରିୟ କରୁଥିବା ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ। କାରଣ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଜଳବାହିତ ରୋଗର ଆଶଙ୍କା ରହିଥାଏ। ଏହାର ପ୍ରଭାବ ମଧ୍ୟ ସ୍ବାସ୍ଥ୍ୟ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଋତୁରେ ଉଷୁମ, ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ ଖାଇବା ସହ ଫୁଟା କିମ୍ବା ବିଶୋଧିତ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଏହି ଋତୁରେ ସତେଜ ତଥା ଘରେ ରନ୍ଧା ହୋଇଥିବା ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ। ଫାଇବର ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ତଥା ସବୁଜ ପନିପରିବାରୁ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ବିଶେଷଭାବରେ ଛଣାଛଣି ଖାଦ୍ୟ ଏବଂ ରାସ୍ତାକଡରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଏହି ଋତୁରେ ନ ଖାଇବା ଭଲ।
ବର୍ଷା ଦିନରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ନିୟନ୍ତ୍ରଣ ନୀତି ଏବଂ ବ୍ୟବହାରିକ ପଦକ୍ଷେପଗୁଡ଼ିକର ଏକ ସାରାଂଶ ଏଠାରେ ଦିଆଯାଉଛି।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : ବର୍ଷା ଋତୁ ପ୍ରାୟତଃ ଜୀବାଣୁ ଏବଂ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଭିଟାମିନ ‘ସି’ଯୁକ୍ତ ଖାଦ୍ୟ, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଏବଂ ପ୍ରଦାହ-ବିରୋଧୀ ଗୁଣ (ଯେପରିକି ହଳଦୀ, ଅଦା ଏବଂ ରସୁଣ) ଯୁକ୍ତ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ। ଏହାବ୍ୟତୀତ ଥଣ୍ଡା, କାଶ ଏବଂ ପେଟ ଖରାପ ଭଳି ରୋଗକୁ ଦୂର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ।
ସୁଦୃଢ଼ ପାଚନ କ୍ରିୟା : ବର୍ଷା ଋତୁରେ ବାୟୁରେ ଅଧିକ ମାତ୍ରାରେ ଆର୍ଦ୍ରତା ଥାଏ ଏବଂ ଏହାଦ୍ୱାରା ପାଚନ କ୍ଷମତା ପ୍ରଭାବିତ ହୋଇଥାଏ। ତେଣୁ ସବୁବେଳେ ହାଲୁକା ଏବଂ ସହଜରେ ପାଚନଯୋଗ୍ୟ ଖାଦ୍ୟ ଖାଆନ୍ତୁ। ଗରିଷ୍ଠ ତଥା ସହଜରେ ହଜମ ହେଉ ନ ଥିବା ଖାଦ୍ୟ, ଅଧିକ ତେଲମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଏହାଦ୍ୱାରା ପାଚନ ସମସ୍ୟା ଏବଂ ସଂକ୍ରମଣକୁ କେତେକାଂଶରେ ରୋକା ଯାଇପାରିବ।
ପ୍ରଚୁର ପାଣି ପିଅନ୍ତୁ : ଆର୍ଦ୍ରତା ଯେତେ ଥିଲେ ମଧ୍ୟ ଆମ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ନିହାତି ଜରୁରୀ। ତେଣୁ ବର୍ଷା ଋତୁରେ ମଧ୍ୟ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଏହି ଋତୁରେ ଜଳବାହିତ ରୋଗ ଏଡାଇବା ପାଇଁ ଫୁଟା କିମ୍ବା ବିଶୁଦ୍ଧ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହୁ ମିଶ୍ରିତ ହର୍ବାଲ ଉଷୁମ ପାଣି ମଧ୍ୟ ଖାଦ୍ୟ ହଜମ ପାଇଁ ଲାଭଦାୟକ ହୋଇଥାଏ।
ପୁଷ୍ଟିକର ଖାଦ୍ୟ : ଭିଟାମିନ, ମିନେରାଲ ଏବଂ ଫାଇବରରେ ଭରପୂର ଋତୁକାଳୀନ ଫଳ ଏବଂ ପନିପରିବା ଏହି ଋତୁରେ ଖାଆନ୍ତୁ। ଏଗୁଡ଼ିକ ଶରୀରର ବର୍ଦ୍ଧିତ ପୁଷ୍ଟିକର ଚାହିଦା ପୂରଣ କରିପାରିବ। ଦହି ଏବଂ ପ୍ରୋବାୟୋଟିକ୍ସଯୁକ୍ତ ଦହି ମଧ୍ୟ ଲାଭଦାୟକ ଅଟେ।
କେଉଁ ଖାଦ୍ୟ ଖାଇବେ ନାହିଁ
ରାସ୍ତାକଡର ବିକ୍ରେତାଙ୍କଠାରୁ ଖାଦ୍ୟ, ଛଣା ଖାଦ୍ୟ ଏବଂ ଖଟା କିମ୍ବା ଅତ୍ୟଧିକ ଲୁଣିଆ ଖାଦ୍ୟକୁ ବର୍ଜନ କରନ୍ତୁ। କାରଣ ଏହା ବର୍ଷା ଦିନରେ ସ୍ବାସ୍ଥ୍ୟ ସମସ୍ୟାକୁ ବୃଦ୍ଧି କରିପାରେ। ଏହି ଋତୁରେ ଆଲର୍ଜି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
ପରିଷ୍କାର ପରିଚ୍ଛନ୍ନତା: ବର୍ଷା ଋତୁରେ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦିଅନ୍ତୁ। ଏହି ଋତୁରେ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏବଂ ପରେ ସାବୁନ କିମ୍ବା ହ୍ୟାଣ୍ଡଓ୍ବାଶରେ ହାତ ଧୋଇବା ନିତାନ୍ତ ଆବଶ୍ୟକ। ରୋଷେଇ କରିବା ସମୟରେ ସଫା ପୋଷାକ ପିନ୍ଧନ୍ତୁ। ନିୟମିତ ସମୟ ବ୍ୟବଧାନରେ ନଖ କାଟନ୍ତୁ।
ଖାଦ୍ୟ ସଂରକ୍ଷଣ : ଖାଦ୍ୟ ଏବଂ ଏଥିଲାଗି ଆବଶ୍ୟକ ସାମଗ୍ରୀଗୁଡ଼ିକୁ ଆର୍ଦ୍ରତାଠାରୁ ଦୂରରେ ରଖନ୍ତୁ। ଫ୍ରିଜରେ ପନିପରିବା ଏବଂ ଅନ୍ୟାନ୍ୟ ଜିନିଷକୁ ଏଭଳି ରଖନ୍ତୁ ଯେପରି ତାହା ସତେଜ ରହିବ। ଏହି ଋତୁରେ ପନିପରିବା ତଥା ଫଳଗୁଡ଼ିକୁ ଫ୍ରିଜରେ ରଖିବା ପୂର୍ବରୁ ଧୋଇ ଦିଅନ୍ତୁ।
ଖାଦ୍ୟ ପ୍ରସ୍ତୁତି : ରାନ୍ଧିବା ପାଇଁ ସବୁବେଳେ ପରିଷ୍କାର ପାଣି ବ୍ୟବହାର କରନ୍ତୁ। ଖାଦ୍ୟକୁ ଠିକ୍‌ ଭାବରେ ରାନ୍ଧନ୍ତୁ। ଅଧା ସିଝା ଖାଦ୍ୟ ଖାଆନ୍ତୁ ନାହିଁ। ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ବ୍ୟବହାର କରୁଥିବା ପନିପରିବା, ମାଛ, ମାଂସ ଆଦିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ସବୁବେଳେ ଆବଶ୍ୟକ ମୁତାବକ ଖାଦ୍ୟ ରାନ୍ଧନ୍ତୁ। ବାସି ଖାଦ୍ୟକୁ ପୁଣି ଥରେ ଉଷୁମ କରି ଖାଇବା ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ।
ବର୍ଷା ଋତୁର ନିଜସ୍ବ ଆକର୍ଷଣ ଅଛି ଏବଂ ଏହା ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ପ୍ରଦାନ କରେ। ଏହି ଋତୁରେ କିପରି ସୁସ୍ଥ ରହିବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ। ଉପରୋକ୍ତ ଟିପ୍ସଗୁଡିକୁ ପାଳନ କରିବା ଦ୍ୱାରା ଆପଣ ବର୍ଷା ଋତୁରେ ସୁରକ୍ଷିତ ଏବଂ ସୁସ୍ଥ ରହିପାରିବେ।

ଡ. ସ୍ମରଣିକା ପରିଡ଼ା
-ସହକାରୀ ପ୍ରଫେସର, ଗୃହ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୭୦୬୪୭୩୯୬୧୬

Dharitri – Odisha’s No.1 Odia Daily

Share