କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ ବିଷୟରେ ଜାଣିବା ଏବଂ ତାହାକୁ ଠିକ୍‌ ଭାବରେ ଉପଯୋଗ କରିବା। ସୁସ୍ଥ କିଡ୍‌ନୀ ପାଇଁ ଯଥେଷ୍ଟ ପାଣି ପିଅନ୍ତୁ। ଦିନକୁ ଅତିକମ୍‌ରେ ଆଠ ଗ୍ଲାସ ପାଣି ପିଅନ୍ତୁ। ପାଣି ପିଇଲେ ଶରୀରରୁ ବିଷାକ୍ତ ଉପାଦାନ ନିଷ୍କାଷିତ ହୋଇଯିବ। ତା’ ସହ ସୁଷମ ଖାଦ୍ୟ ଖାଆନ୍ତୁ। ଯଥେଷ୍ଟ ଫଳ ଏବଂ ତଟକା ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ତାହା ହେଲା ନିଶାଦ୍ରବ୍ୟ ସେବନ। ଯଦି ଏଭଳି ଅଭ୍ୟାସ ଅଛି ତେବେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ। ଡାଇବେଟିସ୍‌ କିମ୍ବା ରକ୍ତଚାପ କିଡ୍‌ନୀ ସମସ୍ୟାର ଅନ୍ୟତମ କାରଣ ସାଜିଥାଏ। ଏଭଳି ସମସ୍ୟା ଥିଲେ ଡାକ୍ତର ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଆନ୍ତୁ। ଏହାବ୍ୟତୀତ ନିୟମିତ ବ୍ୟାୟାମ କଲେ ତାହା କିଡ୍‌ନୀକୁ କେତେକାଂଶରେ ସୁସ୍ଥ ରଖିଥାଏ। ବେଶି ଲୁଣ ଖାଆନ୍ତୁ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଆନ୍ତୁ ନାହିଁ। କିଡ୍‌ନୀ ରୋଗର ନିର୍ଣ୍ଣୟ ପାଇଁ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ। ମନେରଖନ୍ତୁ ଯେ, କିଡ୍‌ନୀ ରୋଗ ହେଲେ ଅନେକ କ୍ଷେତ୍ରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ଲକ୍ଷଣ ଜଣାପଡିଲା ବେଳକୁ ପାଖାପାଖି ୬୦-୭୦ ଭାଗ କିଡ୍‌ନୀ ଆକ୍ରାନ୍ତ ହୋଇସାରିଥାଏ। ଏଭଳି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଲାଗି ମାନସିକ ଚାପଠାରୁ ଦୂରେଇ ରୁହନ୍ତୁ। ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୁଅନ୍ତୁ।

Dharitri – Odisha’s No.1 Odia Daily

Share