Categories: ଫୁରସତ

ଉଡ଼ନ୍ତା ବାଇକ୍‌ ପରେ ଏବେ ଆସିବ କାର୍‌, ଦାମ୍‌ ଜାଣିଲେ…

ଦିନ ଥିଲା ଲୋକେ ଶଗଡ଼ଗାଡ଼ି କିମ୍ବା ଘୋଡ଼ାଗାଡ଼ିରେ ଯିବା ଆସିବା କରୁଥିଲେ। ବିଜ୍ଞାନ ଯେତେ ଅଗ୍ରଗତି କରୁଛି ଲୋକମାନେ ନୂଆ ନୂଆ ଉଦ୍ଭାବନ ମଧ୍ୟ କରୁଛନ୍ତି। ସାଇକେଲ, କାର୍‌, ବସ୍‌, ଟ୍ରେନ, ଏରୋପ୍ଲେନ୍‌ ଏମିତି କେତେ କ’ଣ ଯାନ ତିଆରି ସରିଛି। ଏବେ ଏମିତି ଏକ କାର୍‌ ତିଆରି ହେଉଛି ଯାହା ରାସ୍ତାରେ ଗଡ଼ିବା ସହ ଆକାଶରେ ମଧ୍ୟ ଉଡ଼ିପାରିବ। ବୈଜ୍ଞାନିକମାନେ ଏକ ଫ୍ଲାଇଙ୍ଗ କାର୍‌ ବା ଉଡ଼ାନ୍ତା କାର୍‌ ତିଆରି କରିଛନ୍ତି। ଏକାସାଙ୍ଗରେ ଏହା ଆକାଶ ପଥ ଏବଂ ସ୍ଥଳପଥରେ ଚଳାଚଳ କରିପାରିବ।

ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରଥମ ଫ୍ଲାଇଙ୍ଗ କାର୍‌ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏହି କାର୍‌ ଆମେରିକାର କାଲିଫର୍ନିଆରେ ଅବସ୍ଥିତ ଆଲେଫ ଏରୋନେଟିକ୍ସ କମ୍ପାନୀ ଦ୍ୱାରା ଡିଜାଇନ କରାଯାଇଛି। ସେମାନେ ଏହି କାରର ନାମ ରଖିଛନ୍ତି ‘ମଡେଲ – ଏ’ ଯାହା ଦୀର୍ଘ ସମୟ ଧରି ଲାଗି ରହୁଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ। କାର୍‌ଟି ରାସ୍ତାରେ ଚାଲିବ କିନ୍ତୁ ଯେତେବେଳେ ଟ୍ରାଫିକ ଆସିବ ଡ୍ରାଇଭର ଏହାକୁ ଆକାଶରେ ଉଡ଼ାଇ ନେଇପାରିବେ।

୨୦୨୫ ସୁଦ୍ଧା କମ୍ପାନୀ ଏହି କାର୍‌ପ୍ରଥମ ଲଞ୍ଚ କରିବ। ଏହାପୂର୍ବରୁ ଅକ୍ଟୋବର ୧୯ରେ ପ୍ରି ସେଲ୍‌ ଆରମ୍ଭ ହୋଇସାରିଛି। ଏହି କାର୍‌ର ଦାମ୍‌ ମଧ୍ୟ ଢେର ଅଧିକ। ୨ ଲକ୍ଷ ୭୫ ହଜାର ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ୨ କୋଟି ୫୧ ଲକ୍ଷ ଟଙ୍କା।

କମ୍ପାନୀର ସିଇଓ ଜିମ୍‌ ଦୁଖୋଭନି କହିଛନ୍ତି, ଆଧୁନିକ ଯୁଗରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଟ୍ରାଫିକ ଜାମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ‘ମଡେଲ -ଏ’ ଏକ ଭଲ ବିକଳ୍ପ ଏବଂ ଏହା ଉପଲବ୍ଧ ପରିବହନ ପାଇଁ ଦ୍ରୁତତମ ବିକଳ୍ପ ହୋଇଥିବାରୁ ଏକବିଂଶ ଶତାବ୍ଦୀର ପରିବହନ ଆବଶ୍ୟକ। ଡ୍ରାଇଭରମାନେ ନିଜର ଡ୍ରାଇଭିଂ ଏବଂ ଫ୍ଲାଇଙ୍ଗ ମୋଡ ଚୟନ କରିପାରିବେ। ୨୦୧୯ରୁ କାରର ପୂର୍ଣ୍ଣ ଆକାରର ପ୍ରୋଟୋଟାଇପ ପରୀକ୍ଷା କରାଯାଉଛି। କମ୍ପାନୀ କହିଛି, ୨୦୧୫ଠାରୁ ଫ୍ଲାଇଙ୍ଗ କାର୍‌ର କାମ ଚାଲିଆସୁଛି। ଏହା ବ୍ୟତୀତ କମ୍ପାନୀ ଅନ୍ୟାନ୍ୟ ଅନେକ ମଡେଲ ଉପରେ ମଧ୍ୟ କାମ କରୁଛି।

Share