ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ ଘଟିଥିବା ହୋହଲ୍ଲା, ଯାତ୍ରୀଙ୍କ ଚିତ୍କାର ଏବଂ ଆକ୍ରମଣକାରୀଙ୍କୁ କାବୁ କରିବା ପାଇଁ ଚାଲିଥିବା ଉଦ୍ୟମର ଦୃଶ୍ୟ ଦେଖାଯାଉଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓଟି କକ୍‌ପିଟ୍‌ ନିକଟରେ ବସିଥିବା ଜଣେ ଯାତ୍ରୀ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରିଥିବା ଜଣାପଡ଼ିଛି। ଭିଡିଓରେ କିଛି ଲୋକ ଇଂରାଜୀ ଓ ହିବ୍ରୁ ଭାଷାରେ ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି । ଜଣେ ବ୍ୟକ୍ତି କହୁଛନ୍ତି, “ସେ ବିମାନକୁ କ୍ରାଶ କରିବାକୁ ଚେଷ୍ଟା କରିଥିଲେ।” ଘଟଣାରେ ବିମାନର ଭାରତୀୟ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛର ଆହତ ହୋଇଥିଲେ । ରିପୋର୍ଟ ଅନୁସାରେ, କୋ-ପାଇଲଟ୍‌ଙ୍କ ସହ ହୋଇଥିବା ସଂଘର୍ଷ ପରେ କ୍ୟାପ୍ଟେନ୍‌ କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ । ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ହସ୍ତକ୍ଷେପ କରି କୋ-ପାଇଲଟ୍‌ଙ୍କୁ କାବୁ କରିଥିଲେ।

ଭିଡିଓର ଆଉ ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କକ୍‌ପିଟ୍‌ ନିକଟରେ ଥିବା ଲୋକଙ୍କୁ ଶାନ୍ତ ରହିବା ଏବଂ ବାହାରକୁ ଆସିବାକୁ କହୁଥିବା ଦେଖାଯାଉଛି । ସେହି ସମୟରେ କ୍ୟାବିନରେ ଥିବା ଜଣେ କ୍ରୁ ସଦସ୍ୟ ଚିକିତ୍ସକଙ୍କୁ ଖୋଜୁଥିବା ଶୁଣିବାକୁ ମିଳୁଛି “କୌଣସି ଡାକ୍ତର ଅଛନ୍ତି କି?”

ଏହାପରେ ଇସ୍ରାଏଲୀ ଦନ୍ତ ଚିକିତ୍ସକ ଡା. ଶୋତା ମୁସାୟେଭ୍‌ କକ୍‌ପିଟ୍‌ ନିକଟକୁ ଆସିଥିବା ଦେଖାଯାଉଛି । କ୍ୟାମେରାର ଆଙ୍ଗଲ୍‌ ଯୋଗୁଁ କକ୍‌ପିଟ୍‌ ଭିତରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖାଯାଇନାହିଁ। ଭିଡିଓର ପରବର୍ତ୍ତୀ ଅଂଶରେ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛରଙ୍କୁ କକ୍‌ପିଟ୍‌ ବାହାରେ ଆହତ ଅବସ୍ଥାରେ ଦେଖାଯାଉଛି । ସେ କୋ-ପାଇଲଟ୍‌ ତାଙ୍କୁ ଏକାଧିକ ଥର ଆକ୍ରମଣ କରିଥିବା କହୁଥିବା ଶୁଣାଯାଉଛି । ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ଏବଂ ହାତକୁ ହଲାଇ ପାରୁଥିଲେ ମଧ୍ୟ ମୁଠା କରିପାରୁନଥିବା ସେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଫ୍ଲାଇଦୁବାଇର FZ1073 ବିମାନ ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ପରେ ବିମାନଟି ସାଉଦି ଆରବର ତାବୁକ୍‌ରେ ଜରୁରୀ ଅବତରଣ କରିଥିଲା। ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଥିଲେ। ଘଟଣାର କାରଣ ଓ ଉଦ୍ଦେଶ୍ୟକୁ ନେଇ ତଦନ୍ତ ଜାରି ରହିଛି । ସାଉଦି ଆରବର ପ୍ରାଥମିକ ତଦନ୍ତରେ କ୍ୟାପ୍ଟେନ୍‌ଙ୍କୁ କୋ-ପାଇଲଟ୍‌ ଆକ୍ରମଣ କରିଥିବା କୁହାଯାଇଛି । ଏପଟେ ୟୁଏଇ କର୍ତ୍ତୃପକ୍ଷ ଘଟଣାଟି ପଛରେ କୌଣସି ଆତଙ୍କବାଦୀ ଉଦ୍ଦେଶ୍ୟ, ପୂର୍ବ ଯୋଜନା କିମ୍ବା କାହାର ନିର୍ଦ୍ଦେଶ ଥିଲା କି ନାହିଁ, ତାହାର ତଦନ୍ତ କରୁଛନ୍ତି।

 

Dharitri – Odisha’s No.1 Odia Daily

Share