କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍) ଘାଟି ନିକଟରେ ଫ୍ଲାଏ ଆସ୍ ବୋଝେଇ ଏକ ହାଇୱା ଗାଡ଼ି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ିର କ୍ୟାବିନ୍ ଭିତରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ହାଇୱା ଗାଡ଼ିଟି ଲାଞ୍ଜିଗଡ଼ରୁ ଫ୍ଲାଏ ଆସ୍ ବୋଝେଇ କରି ଭବାନୀପାଟଣା ଅଭିମୁଖେ ଯାଉଥିଲା। ମାତ୍ର କୁଚେଇଯୋର ରାସ୍ତାରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଆଗ କ୍ୟାବିନ୍‌ଟି ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା, ଯାହାଫଳରେ ଡ୍ରାଇଭର ଜଣକ ଗାଡ଼ି ଭିତରୁ ବାହାରି ନ ପାରି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ତେବେ ମୃତ ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ତୁରନ୍ତ ନର୍ଲା ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। ଖବର ପାଇ ନର୍ଲା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିବା ଡ୍ରାଇଭରଙ୍କ ମୃତଦେହକୁ ବହୁ କଷ୍ଟରେ ଉଦ୍ଧାର କରିଛି।

ମୁଖ୍ୟ ଜାତୀୟ ରାଜପଥ ଉପରେ ଏହି ବଡ଼ ହାଇୱା ଗାଡ଼ିଟି ଓଲଟି ପଡ଼ିଥିବାରୁ ଭବାନୀପାଟଣା-ବିଶାଖାପାଟଣା ରୁଟ୍‌ରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ରହିଛି। ରାସ୍ତାରୁ ଗାଡ଼ି ହଟାଇବା ଏବଂ ସ୍ଥିତି ସ୍ୱାଭାବିକ କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପ୍ରୟାସ ଜାରି ରଖିଛି।

Dharitri – Odisha’s No.1 Odia Daily

Share