ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଋଷିକୂଲ୍ୟା ନଦୀର ଜଳପତ୍ତନ ବଢ଼ିବା ସହ ନଦୀ ଫୁଲିଉଠିଛି। ଫଳରେ ପ୍ରଥମ ଥର ପାଇଁ ବନ୍ୟାପାଣି ପୁରୁଷୋତ୍ତମପୁର ସହରରେ ପଶିଛି।
ଏନ୍ଏସିର ୧ ନମ୍ବର ୱାର୍ଡର କନକା ବସ୍ତିରେ ଥିବା ସାଇଫନ ଦେଇ ବନ୍ୟାପାଣି ପଶିବାରେ ଲାଗିଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଖବର ପାଇ ଛତ୍ରପୁର ଉପଜିଲାପାଳ ଡ. ଶିବାଶିଷ ବରାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହାପରେ ଉପଜିଲାପାଳ ତହସିଲଦାର ବିନୋଦ କୁମାର ବେହେରା, ଏନ୍ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର, ଆଇଆଇସି କୁଳମଣି ସେଠୀ ଓ ଏନ୍ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ପରେ ସାଇଫନ ନିକଟରେ ବାଲିବସ୍ତା ପକାଇ ପାଣିକୁ ଅଟକାଯାଇଛି।
ଏଥିସହ ସହରରେ ଥିବା ବିଭିନ୍ନ ସାଇଫନରେ ମଧ୍ୟ ବାଲିବସ୍ତା ପକାଇ ଅବରୋଧ କରାଯାଇଛି। ଯେପରି ବନ୍ୟାପାଣି ସହର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।